New

Post Top Ad

Shubhapallaba Hindi Portal

Friday, May 22, 2020

ଓଡିଶାର କିଛି ଜଣା ଅଜଣା ଓଷା ଏବଂ ଅନୁଭୂତି



କ'ଣ ଛାତି ଚଉଡା କରି ନାକ ଆଖି ଟେକି ପକେଇଲଣି ତ ! ହଁ... ଆଜି ତମ ଦିନ । ତମର ଗୋଟେ ଖୁସି ଆଉ !  ଖାଲି ତମର କାହିଁକି ଆଜି ତ ସବୁ ଦମ୍ପତିଙ୍କ ଦିନ । କିନ୍ତୁ ବୁଝାପଡେନା ଗୋଟାଏ ଦିନ କାହିଁକି ! ଛାଡ଼ ସେ କଥା ।

ଯାହା କୁହ ଆମ ଓଡିଆ ଘରେ ସାବିତ୍ରୀ ଓଷାର ଚାର୍ମ ହିଁ ଅଲଗା । ମୋ ବୋଉ ଘର ପଟେ କାଠ କଣ୍ଢେଇ ଯୋଡିଙ୍କୁ  କଜଳ,ଅଳତା ସିନ୍ଦୁର , ନୂଆ ବସ୍ତ୍ର ରେ ସଜେଇ ପୂଜା କରାଯାଏ ଆଉ ନନାଙ୍କ ଘର ପଟେ ମନ୍ଦିରରେ ବିଭିନ୍ନ ଫଳ, ବ୍ରତ, ନୂଆ ଶାଢ଼ୀ,ଶଙ୍ଖା, ସିନ୍ଦୁର ଅଳତା ନେଇ ପୂଜା କରି ଅଣାଯାଏ ।

କିନ୍ତୁ ଆମଘରେ ନା ପ୍ରଥମ ନା ଦ୍ଵିତୀୟ ଉପପାଦ୍ୟ ଚଳେ ! ସମ୍ପୂର୍ଣ୍ଣ ଅଲଗା । କଣ୍ଢେଇ ପୂଜା ଆମଘରେ ନାହିଁ ବୋଲି ସେମାନେ ଏବେବି ବୋଉର ପେଡିରେ ସାଇତା ହୋଇ ଥୁଆ ହୋଇଛନ୍ତି । ଆଉ ଭିଡ଼ଭାଡ଼କୁ ଏବେ ନୁହେଁ , କେବେ ବି ମୋ ନନା ସହଜେ ମଙ୍ଗନ୍ତିନି । ତେଣୁ ଦିହେଁ ମିଶି ଘରେ ପୂଜା କରନ୍ତି ।

ଚା' ଜଳଖିଆ ପର୍ବ ସାରିଦେଇ, ସକାଳୁ ଗାଧୋଇ ପାଧୋଇ ଦିହେଁ ଠାକୁର ଘରେ ପଶିଯାନ୍ତି । ବୋଉ ଅଖିଆ ଅପିଆ,ନନା କେବଳ ଚା' । ବୋଉ ସବୁ ସଜ ନନାଙ୍କ ହାତ ପାଆନ୍ତାରେ ରଖିଦେଇଥାଏ ପୂର୍ବରୁ, ସଜ  ସବୁ ନନା ଆଣି ଦେଇଥା'ନ୍ତି ଦୋକାନରୁ ତା' ପୂର୍ବରୁ। ଟିକିଲି ସିନ୍ଦୁର ଠୁ ବ୍ରତ ଶାଢ଼ୀ,ସାୟା ବ୍ଲାଉଜ ଯାଏଁ । ଖାଲି ସେତିକି ନୁହଁ , ମୋ ନନା ବିଚରାଙ୍କୁ ଗୋଟି ଗୋଟି କରି ସବୁ ଜିନିଷର ହିସାବ ବି ଦେବାକୁ ହୁଏ । ୫୦୦ ଟଙ୍କା ଶାଢ଼ୀକୁ ୨୫୦ ଟଙ୍କା କହିବାକୁ ପଡେ । ନହେଲେ ମୋ ବୋଉ ମାସେ ଯାଏଁ ବିନା ଥକ୍କାରେ ଗୋଟିଏ ରେକର୍ଡ ବଜାଏ, " ଛୁଆଗୁଡା ପଢୁଛନ୍ତି କାହିଁକି ଏତେ ଟଙ୍କା ଖର୍ଚ୍ଚିଲ ! "

ଚଉରା ମୂଳେ ପୂଜା , ବ୍ରତରେ ଦଶୁଟା ଗଣ୍ଠି ,  ବହି ପଢା ସରୁ ସରୁ ସାଢେ ଏଗାର  ।  ବୋଉ ଭୋଗଥାଳିଆଟା ଧରି ଠାକୁର ଘରୁ ବାହାରେ  । ତରତରରେ ସେପଟେ ଅରୁଆ ଡାଲମାଟା ବସେଇ ଦେଇ ଏପଟେ ଆସି ପୂଜା ହେଇଥିବା ନୂଆ ଶାଢ଼ୀ, ଶଙ୍ଖା,ସିନ୍ଦୁର, ଚୁଡ଼ି ପିନ୍ଧି ମାଆ ଆଉ ନନାଙ୍କୁ ଜୁହାର ହୁଏ । ସାବିତ୍ରୀ ଦିନ ବୋଉ ଟିକେ ବେଶୀ ସୁନ୍ଦର ଦିଶେ । କିନ୍ତୁ ବେଶୀ ସମୟ ଦେଖିହୁଏନି । ଗରମ ଦିନକୁ ନୂଆ ଲୁଗା ଆଳ ଦେଖେଇ ଶାଗ,ଆମ୍ବଖଟା ,ଦହି ପାଚେଡ଼ି, ନଡ଼ିଆ ଚଟଣିରେ ଚକଟିଦିଏ ଜୀବନ ।

ଏମିତି ଜୁମ୍ କରି କ'ଣ ଅନଉଚ ! ମାନେ ମୁଁ ସବୁବେଳେ ଖାଇବା ଫଟୋ ପୋଷ୍ଟ କରେ ,ବୁଲିବାଲି ଖାଇବା ଠେଇ ପହଞ୍ଚି ଯାଏ ବୋଲି ଓଷା, ଓପାସ  କିଛି କରେନି ବୋଲି ଭାବୁଛ ନା କ'ଣ !   ମୁଁ ବି କରେ ହେଲା ! ସେବେଠୁ ଯେବେଠୁ ଓଷା କ'ଣ ବି ଜାଣିନଥିଲି ।

୧. ଖୁଦୁରୁକୁଣୀ : ସାନ ପିଉସୀନାନୀ କରନ୍ତି । ଆମରି ଘରେ ହିଁ ମୂର୍ତ୍ତି ଅଣାଯାଇ ପୂଜା ହୁଏ । ୩/୪ ବର୍ଷ ବୟସରୁ କରିଥିଲିଟି ! ଅବଶ୍ୟ ଦହି, ଖେଚୁଡ଼ି, ଆଳୁଭର୍ତା ଖାଇକି । 

୨. ଜହ୍ନି ଓଷା : ତା' ପ୍ରତି ମୋର ଭାରି ଅଭିମାନ । ଯେହେତୁ ମୋ ଗୋସେଇଁ ବାପା କୁମାର ପୁନେଇଁ ଦୁଇଦିନ ଆଗରୁ  ଚାଲି ଯାଇଥିଲେ, ଆମଘରେ ସେ ଓଷା ହୁଏନି । କିନ୍ତୁ ମୋ ମାମୁଁ ଘରେ ହୁଏ । ବୋଉ ନେଇକି ଯାଏ  । 

ଥରେ କ'ଣ ହେଇଚି ନା , ମୁଁ ଯାଇଥାଏ ମୋ ମାମୁଁଘର ସାହିରେ ଯେଉଁଠି ସମତେ ମେଳିହୋଇ ଜହ୍ନି ଓଷା କରନ୍ତି । ବହିପଢ଼ା ସରିଲା, ପୁଷ୍ପାଞ୍ଜଳି ବେଳ ଆସିଲା । ସମତେ ଭାଗ ବାଣ୍ଟି ଫୁଲ ଅରୁଆ  ଚାଉଳ , ଦୁବ,ବରକୋଳି ନେଇଗଲେ । ମୁଁ ହାତ ବଢ଼େଇଲା ବେଳକୁ କେହିଜଣେ ନାନୀ ତାଙ୍କ ଭିତରୁ କହିଲେ, "ତାଙ୍କର ପା' ନାହିଁ !"   ଅପମାନ କ'ଣ ବୁଝିବା ବୟସ ଯଦିଓ ମୋର ହେଇନଥିଲା ସେତେବେଳେ, କିନ୍ତୁ ଆଖି ଜକେଇ ଆସିଥିଲା । ପଛଆଡୁ ମିମିନାନୀ ଅରୁଆ ଚାଉଳ ଯୋଡ଼େ ମୋ କୁନି କୁନି ହାତରେ ଗୁଞ୍ଜି ଦେଇଥିଲେ, ଭାରି ଖୁସି ଲାଗିଥିଲା ,  ସେତେବେଳେ ଆଜି ବି । କେହିଜଣେ ତ ସମାଜର ନୀତି ନିୟମରୁ ବାହାରି ଛୁଆ ମନଟେ ବୁଝିଥିଲେ !

୩. ଭିଣୋଇ ଓଷା : ନବମ କି ଦଶମରେ ପଢୁଥାଏ । ଭାରି ଚାଞ୍ଚଲ୍ୟ ଖେଳିଯାଇଥିଲା ସେତେବେଳେ ଭିଣୋଇ ଓଷା । ଶାଳୀମାନେ ଭିଣେଇମାନଙ୍କ ପାଇଁ ଓଷା କରିବେ । ମୋ ମାଉସୀଝିଅମାନେ ଟଙ୍କା, ନୂଆ ଡ୍ରେସ୍ ,ଫଳମୂଳ ସବୁ ଆଣି ଆମ ଘରେ ପହଞ୍ଚିଗଲେ । ତୋ ମନ ଯେବେ ରଇବାରିଆ ଦେଖି ଅରୁଆ ଖାଇ ଭାଇନାମାନଙ୍କ ନାଁରେ ପୂଜା କରିଦେବାକୁ କହିଗଲେ । ଏଇଟା କଉ କଷ୍ଟକାମ ଯେ ! କରିଦେଇଥିଲି । ଏ ସବୁ ଦେଖି ମୋ ବୋଉର ଟେନସନ କହିଲେ ନସରେ ! ସେ ବେଳକୁ ପୁଣି ମୋ ନନାଙ୍କର ଶ୍ବାସ ବାହାରୁଥାଏ ତୁହାକୁ ତୁହା । ମୋ ବୋଉ ଫୋନ ମାରିଲା ତା' ଦାଦା ଝିଅ ଭଉଣୀକୁ, " ଟଙ୍କା ପଠେଇ ଦେବିଲୋ ଭାଇନା ନାଗି ଓଷା କରିଦେବୁ ।" 
ପୁଣି ସେପଟେ  ମାମୁଁଙ୍କ ଶାଳୀ ମୋ ମାମୁଁଙ୍କୁ ଫୋନ କରି ଶାଢ଼ୀ ମାଗିବାରୁ ମାମୁଁ କହିଲେ, "  ଦିହ ପା' ନିକ ଅଛି, ହେରା କିଆଁ ତୁଚ୍ଛାଟାରେ କରିଯିବୁ !"

୪. ଜ୍ବାଇଁ ଓଷା : ସେଇ ହାଇସ୍କୁଲ ରୁ +୨ ପଢିବା ଭିତରେ ହିଁ ଏଇ ଓଷାର ଉତ୍ପତ୍ତି ହୋଇଥିଲା ଆମ ଅଞ୍ଚଳରେ । ବିଡ଼ମ୍ବନା, ମୋ ନନାଙ୍କ ପାଇଁ ଓପାସ କରିବା ନାଗି ଉପାସୀ (ମୋ ଆଈ ନାଁ) ଆଉ ନଥିଲା ସେତେବେଳେ । ଥିଲେ ବି ମୋ ନନା କରେଇ ଦେଇ ନଥାନ୍ତେ । ଏମିତିରେ ସେ ଦିହ ପା' ରେ ବି ଏକାଦଶୀ କରେ ବୋଲି ମୋ ନନା କେତେ ଗାଳି ଦିଅନ୍ତି । ମାଆମାନଙ୍କ ଆଗରେ  "ଅରୁଆ ଡାଲମା ଖାଇକି ବି ଓପାସ କରାଯାଇ ପାରିବ " ,ଏ ଥିଓରି ଚଳିଲାନି । ସବୁ ଶାଶୁମାନେ ଆଣ୍ଠୁରେ ବାତ, ଛାତି ପେଟରେ ଗ୍ୟାଷ୍ଟ୍ରିକ୍ ମୁଣ୍ଡରେ ଝିଅର ଶଙ୍ଖା ସିନ୍ଦୁର ଧରି ଧାଇଁଲେ ମନ୍ଦିର, ଜ୍ବାଇଁ ଓଷା କରିବା ନାଗି । 

୫. ଭାଇଜିଉଁନ୍ତିଆ ଓଷା : ବହୁତ ପାଖରୁ ଦେଖିଚି ଭଉଣୀମାନଙ୍କର ବଡ଼ ସରାଗରେ ଭାଇମାନଙ୍କ ପାଇଁ ଓପାସ ରଖିବାର, ନିଜ ବା'ଘର ଠୁ ପୁଅ ବ୍ରତଘର,ଝିଅ ବା'ଘର ବେଳେ କଉ ଭାଇ କଣ କେତିକି ଦେଇଛି ହିସାବ ରଖିବାର , ନିଜ ସଂସାର ପଛରେ ପକେଇ  ବାପା, ମାଆ ଭାଇ ,ଭାଉଜ ସଂସାର ଉଜାଡିବାର ,ରାକ୍ଷୀ, ସାବିତ୍ରୀ ଶାଢ଼ୀ ମନକୁ ନପାଇବାର, ଭାଗବଣ୍ଟା ବେଳେ ଭାଇ ସହ ଭଉଣୀ ଭଗାରୀ ବସି ପଡିବାର , ସମ୍ପର୍କ ତୁଟି ଯିବାର ,କେହି କା' ମୁହଁ  ନଚାହିଁବାର , ସୁଖ ଦୁଃଖରେ ନଠିଆ ହେବାର , ଫେସବୁକ ରେ ଭାଇ, ବନ୍ଧୁ, କୁଟୁମ୍ବ  ତିଆରିବାର....।

୬.ବଡ଼ଓଷା : ଏଯାଏଁ ବୋଉଠୁ ଅନୁମତି ଲଭିପାରିଲି ନାହିଁ ଏ ଓଷା ପାଇଁ । +୩ ପଢିବାବେଳେ ବହୁତ କଷ୍ଟରେ ଶିବରାତ୍ରି ପାଇଁ ଅନୁମତି ମିଳିଲା । ସିଏ ବି ଗୋଟେ ବଡ଼ ବେଲାରେ ମିଶ୍ରି ପାଣିରେ ଦହି, ନଡ଼ିଆ,କଦଳୀ, ସେଓ,ଡାଲିମ୍ବ ପଡି ପଣା ପିଇକି । 
ପିଜି ପଢିବାବେଳେ ରାମମନ୍ଦିର, ଇସ୍କନ ମନ୍ଦିର,ଆଉ ଦୁର୍ଗା ମଣ୍ଡପ ମଝିରେ ମେସ୍ ରେ ରହୁଥିଲି । ତେଣୁ ନିଜଆଡୁ ରାମନବମୀ, ଜନ୍ମାଷ୍ଟମୀ, ଦୁର୍ଗାଷ୍ଟମୀ ଆରମ୍ଭ କରିଦେଲି । କିନ୍ତୁ ବୋଉର କିଛି ଗାଇଡ଼ ଲାଇନ ମାନି । ମୋ ଉଚ୍ଚତା ଏଯାଏଁ ବି ବୋଉର ବିଶ୍ୱାସ ଜିତିବାରେ ଅକ୍ଷମ । ଆଉ କୋଉ ବଢିବ ଯେ !

୭. ସାବିତ୍ରୀ ଓଷା : ସେଇ +୩ ପଢିବାବେଳେ ହିଁ । କଲେଜରୁ ନଲେଜ ନେଇ ବୋଉକୁ ନଲେଜ ଦେଲି ।  

-ଜାଣିଛୁ ବୋଉ,  ଅଙ୍କିତା ନା ଫର୍ମ ପୂରଣ ପାଇଁ ତା' ବାପାଙ୍କଠୁ ୭୦୦ ଟଙ୍କା ଝଡେଇ ଦେଇଛି ।
- କେମିତି ? ତମର ତ ସେମିଷ୍ଟର ପିଛା ୪୦୦ ଟଙ୍କା ନା !
- ଶୁଣୁନୁ,  ସେ ତା' ମାଆଙ୍କୁ କହିଲା ୫୦୦/- , ତା' ମାଆ ତା' ବାପାଙ୍କୁ କହିଲେ ୭୦୦/- । ବାସ୍ ୨୦୦ ଆଣ୍ଟିଙ୍କର ଆଉ ୧୦୦ ୟା'ର । ଦିହେଁ ସାବିତ୍ରୀ ଆଉ ରଜ ସପିଙ୍ଗ ପାଇଁ ଏବେଠୁ ସଞ୍ଚିଲେଣି !

ନନା ଦୋକାନରୁ ଆସୁ ଆସୁ, ବୋଉ ମୋର ଅନର୍ଗଳ ଯାହା ଯେମିତି ମୁଁ କହିଥିଲି  ଅ ଠାରୁ କ୍ଷ ଯାଏଁ ସବୁ ଗପିଦେଲା । ବେଡି ଟା , କିଛି ନଲେଜ୍ ଗେନ୍ କରିପାରିଲାନି ହୋ ! ଓଲଟା ମୋତେ ନଲେଜ୍ ଦେଇଦେଲା । 

"ପ୍ରତିଟି ସମ୍ପର୍କକୁ ସୁସମ୍ପର୍କରେ ପରିଣତ କରିବା ଲାଗି ଯେଉଁ ଯେଉଁ ମାର୍ଗ ଆପଣେଇବାକୁ ହୁଏ,ସେ ସବୁ ମାର୍ଗ ହିଁ ଗୋଟାଏ ଗୋଟାଏ ବ୍ରତ । " 

ବାସ୍ ,ମନ୍ତ୍ରଟି ଏମିତି ମନ ମସ୍ତିଷ୍କରେ ଛପିଗଲା ଯେ ,ସେଇଦିନୁ କାନ ମୋଡି ପ୍ରତିଜ୍ଞା କଲି । ଯାହା ବି ହେଇଯାଉ  ବୋଉକୁ କେବେ ଜ୍ଞାନ ଦେବିନି ।


୨୨/୦୫/୨୦୨୦

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba