New

Post Top Ad

Shubhapallaba Hindi Portal

Sunday, May 24, 2020

ପୀରତି ଦୁର୍ଭିକ୍ଷ



ହଇହେ ! ଏ ପ୍ରେମ ପ୍ରୀତି ତମ ବେଳେ ହଉ ନଥେଲା ନା ଆମବେଳେ ହଉନଥେଲା ବା' ! ତମେ ତ ଉତ୍ସ, ନାଟର ଗୋବର୍ଦ୍ଧନ । ତମେ କିସ ଶିଖେଇଲ ନୋକେ କିସ ଶିଖି କିସ କରୁସନ୍ତି, ବଖାଣୁଅଛି ଶୁଣ । ତା' ପରେ ଟିକେ ଚିନ୍ତା କରିବ । ମୁଣ୍ଡରେ ହାତ ଦେଇ ବସି ନପଡିବ ଯଦି କହିବ ! 

ଆଁ ହେରା ହେତେ ବାଟ କିଆଁ ଯିବା ମୋ କଥା କହୁଛି ଶୁଣ ।

୧. ପଞ୍ଚମ ଶ୍ରେଣୀରେ ହିଁ ଏ "ପ୍ରେମ" ସହ ମୋର ପ୍ରଥମ ଭେଟଘାଟ ହେଇଥିଲା । ମାମୁଁଘର ଛାତ ଓପରେ । ମୋ ମାମୁଁ ଝିଅ ଭଉଣୀ କଉଠୁ ଖବର ପାଇଲା କି ଅନ୍ଦାଜିଆରେ ତାଗିଦ କରି କହିଗଲା କେଜାଣି, " ତୁ ଆଉ ସେମାନଙ୍କ ଚିଠି ନିଆ ଦିଆ କରିବୁନି ଟି !"
ମୁଣ୍ଡରେ ମୋର ଚଡକ ! କାନ ଝାଇଁ ଝାଇଁ ! ମୋତେ କି ଜଣା ! ଆମ ଘରପାଖେ ରହୁଥିବା, ଆମରି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଚିନୁନାନୀ ଯୋଉ ତିନି ଚାରିଖଣ୍ଡ ବହି ଦଶମରେ ପଢ଼ୁଥିବା ସଞ୍ଜୁଭାଇ ପାଖକୁ ପଠାଏ, ଆଉ ସଞ୍ଜୁଭାଇ ଯୋଉ ଚାରି ପାଞ୍ଚ ଖଣ୍ଡ ବହି ମୋ'ରି ହାତରେ ଚିନୁନାନୀଙ୍କୁ ପଠାନ୍ତି , ସେଥିରେ ଚିଠି,ଚକଲେଟ୍ , ଗୋଲାପ ବି ଯା' ଆସ କରନ୍ତି ବୋଲି ! 

କଥା ମାମୁଁଙ୍କ କାନକୁ ନଯାଉ , ମୁଁ ସେଇଠୁ ହିଁ ଚିନୁନାନୀ ସହ ମିଳାମିଶା  କମେଇ ଦେଇଥିଲି ,କାରଣ ମାମୁଁ ମାଉସୀଙ୍କ ଘରେ ମୋର ଆଉ ମୋ ଭାଇର ଆଚ୍ଛାଖାସା ଇଜ୍ଜତ । ଖବର କିନ୍ତୁ ପାଇଥିଲି, ଦିହେଁ ବାପା-ମାଆ ହେଲେଣି, କିଏ କାହାକୁ ବାହାହେଇ ।

୨.  ଦଶମ , ପଥ ବଡ଼ ବିଷମ । 
ପ୍ରିଟେଷ୍ଟ , ଲାଗିବନି ଇଣ୍ଟରେଷ୍ଟ  ।
ଟେଷ୍ଟ, ମିଳିବନି ରେଷ୍ଟ ।
ବୋର୍ଡ଼ , ମୁଣ୍ଡ ହେଇଯିବ ଲୋଡ଼ ।

ଏତକ ଗଣିତ ଟିଉସନ ସାର୍ ଇମିତି ବାଟିକି ପେଇଦେଲେ ଯେ, ମନ ମସ୍ତିଷ୍କ ଆଜିଯାଏଁ ବି ପାଦକୁ ଜଗିଛନ୍ତି । ଇମିତି ନୁହଁ କି ପାଦଖସିବାର ମୂଳରୁ ସମ୍ଭାବନା ହିଁ ନଥିଲା । ଆମରି ସହ ଗଣିତ ଟିଉସନ ହେଉଥିବା ସୁସ୍ମିତାକୁ ପୁଣି ତା' ସାଇକେଲ ପଛରେ ହ'ଙ୍କ ଗାଡି ନଗେଇ ଟୋକାଟେ ପଟେଇ ଦେଲା ନା' ଆଉ !   ସେଇ ଦଶମ ଶ୍ରେଣୀରେ ହିଁ ବା' ହେଇ ପଡିଲେ ଦିହେଁ  !  ଅବଶ୍ୟ କାର୍ଡ ଦେଇଥିଲା ଯେ !

୩. ଦଶମ ପରୀକ୍ଷା ସରିନି ,ଜୁଲୁଭାଇ ଦୌଡ଼ିଲା ଘରକୁ । ଝିଅକୁ  କୋଚିଂ ସେଣ୍ଟର ପଠାଅ । ଡେମୋ କ୍ଳାସ ଏପ୍ରିଲ ଏକ ତାରିଖରୁ ଆରମ୍ଭ । କେ' ରୁହ ଫଳ ବାହାରିନି । ନା , ସେ ସବୁ ଡାଟା ଇସ୍କୁଲରୁ  ସଂଗ୍ରହ କରା ସରିଛି , ଯେତୁଟା ଫାଷ୍ଟ କ୍ଳାସ୍ ପାଇବେ ତାଙ୍କ ନାଁ , ଠିକଣା, ଫୋନ୍ ନମ୍ବର ନେଇ ଘରେ ଘରେ ହାଜିରା ପକାଯାଉଛି । 

ତା'ପରେ ଆଉ କଣ ! ଫଳ ବାହାରିଲା , ଜୁଲୁ ଭାଇ ଅନୁମାନ ସତ ହେଲା । ଏଚ୍. ସି ବର୍ମା , ଆର୍ .ଡ଼ି ଶର୍ମା ଜୀବନ ଜନ୍ତି ଦେଲେ । ଯୌବନ ଜନମରୁ ଭାଜି ହେଇଗଲା । 
ୟା'ମାନେ ନୁହଁ  କଞ୍ଚାତକ ଲୋପ ପାଇଗଲେ । ଥିଲେ ବି ଘରୁ ଲୁଚି ପଳେଇ , ଫେରେ ଆସି ଘରେ କିଛିଦିନର ବନ୍ଦୀ ଜୀବନ କାଟି ଅନ୍ୟଠେଇ ସଂସାର ଆରମ୍ଭ କରିଥିଲେ । ଆଉ କିଛି ବୁଝି ବିଚାରି ପାଠପଢ଼ା,କ୍ୟାରିଅରରେ ମନ ଦେଇଥିଲେ । ଯେ ଏସବୁ ବାପା ମାଆଙ୍କ  କରାମତି । ଯିଏ ଯଉ ଉପାୟ ପାରିଲେ, ନିଜ ନିଜ ପୁଅ-ଝିଅଙ୍କୁ ବୁଝେଇ ଚାଲିଲେ । କିନ୍ତୁ ସହଜ ନଥିଲା ,ଏତକ ମାନିବାକୁ ହେବ । 
ନିଜ ବନ୍ଧୁ ବାନ୍ଧବ କି ସାଙ୍ଗ ସାଥିରୁ କେହି ଜଣେ ଇମିତି କାମ କଲେ , ଅନ୍ୟମାନଙ୍କୁ ବିନା ଦୋଷରେ କୋଉ ରକମ କଟକଣା ସହ ବଞ୍ଚିବାକୁ ହୁଏ,ତାହା ବି ନଜରଅନ୍ଦାଜ କରାଯାଇ ନପାରେ ।

୪. ନୂଆ ନୂଆ କଲେଜ , ନୋଭେଲ ପଢ଼ା, ସୁଇଚି ଟିପା ମୋବାଇଲ, ଫେସବୁକରେ ଖାତା। ବିଲକୁଲ ସହଜ ନୁହେଁ ସାଢ଼େ ତିନିଶ ଗ୍ରାମର ହୃତପିଣ୍ଡଟେ ସମ୍ଭାଳିବା ଏଇଠି । ଯାନିଯାତରା, ବା'ଘର ବଡ଼ପଣ, ଛକ, ବଜାର ,ମନ୍ଦିରରେ ଆଖି ଦୁଇରୁ ସାଢ଼େ ଚାରି ସେକେଣ୍ଡ ଚାରି  (ମୁଁ ଜନ୍ମରୁ ଚାରି ଆଖିଆ ନୁହଁ )  ହେବାକୁ ମଧ୍ୟ ଏଡାଇ ଦିଆ ଯାଇ ନପାରେ । କାରଣ ପର ମୁହୂର୍ତ୍ତରେ ସେ ସବୁ ବାପା ,କକା, ମାମୁଁ, ମଉସାଙ୍କ ଜରିଆରେ ନନାଙ୍କ ପାଖକୁ ଆସିଲେ । ଆଉ ନନା ସେ ସବୁ ଖୋଲାଖୋଲି ଭାବରେ ଆଲୋଚନା କରନ୍ତି । ତେଣୁ ପରେ ପରେ ସିଧାସଳଖ ଭାବରେ ମୋ ପାଖକୁ ଯାହା ଆସିଲା ମୁଁ ବି ଆଉ ଖୋଲିବାକୁ ଡରିଲିନି ଘରେ ।  ଘର ଭିତରେ ଏତେ ମାତ୍ରା ରେ  ଖୋଲାଖୋଲି ପ୍ରକ୍ରିୟା ପ୍ରଚଳନ ହେଇଗଲା ଯେ ବାହାରେ ଯାଇ ବାନ୍ଧି ହେଇପଡିବା କଷ୍ଟ ହେଲା । ଶତ ଚେଷ୍ଟା ପରେ ବି । ସେ ଚେଷ୍ଟା  ପ୍ରତି ଆଜି ବି ହୃଦୟରୁ ସମ୍ମାନ ଅଛି । 

୫.  ପି.ଜି । ସେଠି ପ୍ରତି ସେମିଷ୍ଟରରେ ଯୋଡି ବଦଳ । ଟିକେ ଭାବ, ଆଜି ଯାହାକୁ ଜିଜୁ ଡାକି ତା'ଠୁ ଚାଟ୍, ଗୁପଚୁପ୍, ଦହିବରା ଖାଇ ଦେଇଥବ ତା' ଆର ଦିନକୁ ଜିଜୁ,ଭାଉଜ ଅଦଳବଦଳ ।  ମୋର ଆଉ ମୁଣ୍ଡ ମଗଜ କିଛି ଚଳିଲାନି । ଖୋଜିଲି ...। ଖୋଜି ଖୋଜି ଯାହା ପାଇଲି,ସେଇଟି ହେଲା  ଲାଇବ୍ରେରୀ । ସେଇ ଗୋଟାକ ଜାଗା ମନପ୍ରାଣରେ ଶାନ୍ତି ଭରିଦେଲା ।  ଏ.ସି ତଳେ ବସି ବସି ଦି' ବର୍ଷର ଟଙ୍କା ଉଠେଇଦେଲି । ନହେଲେ ଏ ପ୍ରାଇଭେଟ୍ କଲେଜ ଗୁଡାଙ୍କୁ କିଏ ହାତ ମାରିପାରିବ ଲୋ ମା' । ସେଠୁ ବାହାରି ଦର୍ପଣ ଦେଖିଲା ବେଳକୁ ମୁଣ୍ଡରେ ସିଆଁ ସିଆଁ ପାଚିଲା ଚୁଟି ! ଆଉ ଏ ମୋହ ମାୟାରେ ମନ ନାଗିବ ନା ! 

୬. ତା' ପରେ ଚାକିରି । ଆଉ ଏବେ ଏବକୁ ତମେ କହିବ " ତୁ ଯଉଠି କହିବୁ ଆମେ ସେଇଠି ରାଜି ।  (ସର୍ତ୍ତ : ଜାତିର ହେଇଥବ , ଜାତକ ମେଳ ଖାଉଥବ , ଅମୁକ ନାଲିଆ, ସମୁକ ପୁରିଆ ,ଢ଼ମୁକ ଗଡ଼ିଆ ହେଇନଥବ ) "

ନାଇଁ ନାଇଁ ତମେ ନିଜେ କୁହ ,  ଏମିତି କ'ଣ ପ୍ରେମ ହଏ !
ଧ୍ୟାନ ଦେବ ୨ୟ ଥର ପଚାରୁଛି, "  ପ୍ରେମ କ'ଣ ଏମିତି ହଏ ?
ଆଉଥରେ ଧ୍ୟାନ ଦେବ,
୩ୟ ଥର ପଚାରୁଛି , "ଏମିତି ପ୍ରେମ ହଏ କି ?"

ଆରେ ଆରେ....ହସୁଛ କ'ଣ ଯେ ! ହଁ ମୁଁ ମାନୁଚି ମୋର ସେ ସମୟତକ ତମ ପରି ଇଣ୍ଟରେଷ୍ଟିଂ ହେଇପାରିନି । ତା' ବୋଲି....

ଆଚ୍ଛା ମତେ ଏବେ କୁହ ,

୧.ତମେ କହିଥିଲ କି ପ୍ରେମ ପାଇଁ ନିଜ କର୍ମ କର୍ତ୍ତବ୍ୟରୁ ଓହରି ଯିବାକୁ ?
୨. ତମେ କହିଥିଲ କି ହାତ , ଗୋଡ଼, ଛାତି  କାଟି ରକ୍ତରେ  ନାଁ, ଚିଠି,  ଲେଖିବାକୁ ? 
ଏଇଠି ଗୋଟାଏ କଥା ମନେପଡିଲା, କଣ କରିବି ମୋର ସର୍ଟକର୍ଟରେ କଥା ସରେନି । ଥରେ କଣ ହେଇଚି ନା ଆଣ୍ଠୁରେ ଛୋଟିଆ ଖଣ୍ଡିଆଟାକୁ ଖୋଳି କେଞ୍ଚି ରକ୍ତ ବାହାର କରିଦେଲି । କଲି ତ କଲି ସେୟାକୁ ପୁଣି ବଡ଼ ଉତ୍ସାହରେ ନେଇ ବୋଉକୁ ଦେଖେଇ କହିଲି, "ବୋଉ ! ଦେଖ ମୋର କେତେ ନାଲି ନାଲି ରକ୍ତ !" 
ବୋଉ ତ ସବୁ କାମ ପକେଇ ଧାଇଁ ଆସି ପିଠିରେ ନାଛି ଦେଇଗଲା ଆଉ । କହିଲା, "କେତେ କଷ୍ଟରେ ବାପ ଝାଳ ବୁହେଇ ଟଙ୍କା ରୋଜଗାର କରି କ୍ଷୀର, ହର୍ଲିକ୍ସଠୁ ଫଳମୂଳ, ମାଂସ, ଅଣ୍ଡା ଖୋଇ ଦିହରେ ରକ୍ତ ତିଆରୁଛି ! ପଚାରିଲା," ଏଇଟା ତୋ ରକ୍ତ !" ନନା ବୋଉର ରକ୍ତ ।

ରାଣରେ ,ସେ ଯୋଉ ମାଡ଼ ! ଏବେ ନେତାଜୀ ଖୋଅଦ ଆସି ମାଗିଲେ ବି ମୁଁ କହିବି , "ଅପେକ୍ଷା କର ବୋଉକୁ ପଚାରେ !"

୩. ଆଚ୍ଛା ତମେ ରାଧାଙ୍କୁ କିଅଣ କିଅଣ ଉପହାର ଦଉଥିଲ ତମବେଳେ କୁହନି ! ବଇଁଶୀ ବଜେଇଦେଲ ସେ ବିଚାରି ସବୁ ଭୁଲିଗଲେ । ଆମର ଦେଖ ବର୍ଷପୁରାଣୀ,ଜନ୍ମଦିନ, ଫେବୃଆରୀ ମାସ ଗୋଟା, ଆଉ ଏବେ ଏବେ ସାବିତ୍ରୀ ଗିଫ୍ଟ ! ଏତକ କେବେ ଶିଖେଇଲ କିଓ ?

ମୁଣ୍ଡରେ ହାତଟା କଣ ଦେଇଦେଲ ! ଏତିକି ନୁହଁ ବା' ,ଆହୁରି ଅଛି ।

୪. ଆଚ୍ଛା, ବାପା ମାଆ ଅରାଜି ହେଲେ ରେଳ ନାଇନିରେ ମୁଣ୍ଡ ଦେଖେଇ ଦେବା, ପ୍ରେମିକ ବିଶ୍ଵକର୍ମା ପୂଜା ବୁଲେଇ ନନେଲେ ବିଷ ପିଇଦେବା, ପ୍ରେମିକାକୁ ସାବିତ୍ରୀ ଉପହାର ନଦେଇ ପାରିଲେ ପ୍ରେମିକା ସାମ୍ନାରେ ଲାଇଭ ପଙ୍ଖାରେ ଝୁଲିପିଡ଼ିବା....ଏଗୁଡା ତ ତମ ପ୍ରେମ ପାଠ୍ୟକ୍ରମରେ ନଥିଲା ! ଏତିକି ନୁହଁ ଆହୁରି ଅନେକ ଅଛି ।

ମୁଁ ଜାଣିଚି ସେ ସବୁ ଶୁଣିଲେ ତମ ରକ୍ତଚାପ ବଢିଯିବ । କିନ୍ତୁ କଣ କରିବି , କହିଲେ କୁଳ କୁଟୁମ୍ବକୁ ଲାଜ,ନକହିଲେ କୁଳ ଭାସିଯାଉଛି । 

ହେଇଟି ! ମୋ ମୁହଁକୁ ଅନେଇଲ ! ପାଣି ଟିକେ ପିଇ ଥଣ୍ଡା ମୁଣ୍ଡରେ ଚିନ୍ତା କର । କ'ଣ କ'ଣ ଶିଖେଇଥିଲ କ'ଣ ନୋକେ ଶିଖିଲେ । ମୋ କଥାମାନ ! ଆଉ ଥରୁଟିଏ ଆସ ! କେବଳ "ପ୍ରେମ" ଶିଖେଇ ଦେଇ ଯାଅ । ଆଉ ହଁ, ଏଥର ସେ ରାଜନୀତି, ଯୁଦ୍ଧ... ପୁରେଇବନି । ଲୋକ ଦ୍ଵନ୍ଦରେ ପଡୁଛନ୍ତି, ବାଟଘାଟ ଥଳକୁଳ କିଛି ପାଉ ନାହାଁନ୍ତି । ଶିଖେଇବ ତ କେବଳ ପ୍ରେମ । ପୀରତି ଦୁର୍ଭିକ୍ଷ ପଡ଼ିଚି ଗୋ ଏବେ ମର୍ତ୍ତ୍ୟରେ । 


୨୪/୦୫/୨୦୨୦

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba