ତୁ ଆକାଶ ମୁଁ ମାଟି
ତୁ ପବନ ମୁଁ ତାଟି
ଅଢେଇ ଦିନ ଅଢେଇ ଅକ୍ଷରର ପ୍ରେମ
ବାକି ଦିହକ ଯାକ ଲୋଡ଼ା ଖୋଜା ସଂସାର
ଭାବ ଅଭାବେ ମେଣ୍ଟେ ଗୁଜୁରାଣ
ଏଇ ତ ବୀଜ ମନ୍ତ୍ର, ପାଣିଗ୍ରହଣ !
ତୁ ମୁଁ ଯାହା ଯେମିତି
ବାକି ଆୟୁଷ ପରସ୍ପରର
ସମ୍ଭାଳିନେବା କେବେ କିଏ କେମିତି,
ଦୌଡ଼ିବା ଦୌଡ଼ିବା ସେ ଯାଏଁ
କେ କା'ଠୁ ଆଗେଇ ପଛେଇ ନଯାଏ ଯେମିତି,
ମୁଁ ସରୁଥିବି ତୁ ଭରୁଥିବୁ
ଥକ୍କା ତକ ଫିଙ୍ଗିଦବୁ ମୋ କତିକି,
ହାତରେ ହାତ ଦେଲାପରେ ଛନ୍ଦି
ବାସ୍ ସୀମାଟା ସେଇଠି ସେତିକି !
ଏଇଥି ଲାଗି ତ ଯେତେ ତର୍କ
ତାରା,ଚନ୍ଦ୍ର,ବଳ, ବର୍ଣ୍ଣ
ମଣ୍ଡଳ, ଭାବନାଦୀପ
ନାଡୀ, ଗଣ, ଯୋନି, ବର୍ଗର ଷଡ଼ଯନ୍ତ୍ର
ରାଜଯୋଟକ , କିନ୍ତୁ ମିଳନ ଅଟକ ।
ପିଣ୍ଡ ପ୍ରାଣ ତର୍ପଣ ସମର୍ପଣ
ମଗାଯଚା ହକ୍ , ତା'ପରେ ଶରଣ
ତୋର ଦୋଷ ନା ମୋର ଦୋଷ
ଯାଅ' ମ,
ସବୁ ଦୋଷ ମଙ୍ଗଳ, କାଳସର୍ପ
ହେଇଥବ କୋଉ ନର କି ରାକ୍ଷସର
ପରେ କରିବାନି ଗୋଟି ଗୋଟି ପ୍ରତିକାର !
©ପଲ୍ଲବୀ
୨୫/୦୬/୨୦୨୦
No comments:
Post a Comment