New

Post Top Ad

Shubhapallaba Hindi Portal

Friday, May 15, 2020

ବେକରେ ପଡିଲେ ଢୋଲ



Photo : Gajar Halwa made by   Aparajita Pati

"କୋଡିଏ  ଡେଇଁଲାଣି ଟି ! ଆଉ କେବେକୁ ଶିଖିବ ବା ଘରକରଣା ! ନିଆଁ ଲଗା ପାଠ,ଟଙ୍କା କ'ଣ ମୁହଁରେ ଭାତ ଗୁଞ୍ଜି  ଦେବ ? ମନେରଖ," ସୁପ୍ତ ସିଂହସ୍ୟ ମୁଖେ ନପଶେ ମୃଗାଃ ! "
ଅତ୍ୟନ୍ତ ନିଜ ପେଟଟା ପାଇଁ ରାନ୍ଧି ବାଢି ଶିଖିବା କଥା କି ନାହିଁ ! ଶାଶୁଘରେ ଏଇମାନେ ଗୋଇଠା ଖାଇବେନି ତ ଆଉ କିଏ ଖାଇବ ! ପାଠ ଦି' ଅକ୍ଷର ପଢେଇ ଦେଇଛ,  ବୋଲି ଶାଶୁଘରେ କ'ଣ ତମ ଝୁଅମାନଙ୍କୁ ଦୋଳିରେ  ବସେଇ ଝୁଲେଇବେ ! "

ଏତେ କଥାର ଜବାବ ବୋଉ ଛୋଟିଆ ହସରେ ଫେରେଇଥିଲା । ତଥାପି ଶିଖେଇଲାନି ଭାତ,ଡାଲମା, କ୍ଷୀରି, ହାଲାୱା...। 

କେଜାଣି ବୋଉକୁ କେବେ ପାଣି ଗ୍ଲାସ୍ ଟେ ବି ଆଣି ଦେଇଛି କି ନାହିଁ ! ଏମିତିକି ଦିହ ପା'ରେ ବି ନୁହଁ । ପ୍ରକୃତରେ କେବେ ଦରକାର ପଡିନି ।  ଦିହ ପା' ରେ ବି ନାଇସ୍ ନେଇ ନାଇସ୍ ଥାଏ ସେ । ହା ହା ସୁପର୍ ମମ୍ !

  ଚେଇଁ ରହି  ବର୍ନଭିଟା ତ କେତେବେଳେ ପାଣି ଗ୍ଲାସ୍ ହାତକୁ ବଢ଼େଇ ଦେଉଥାଏ , ବିଳମ୍ବିତ ରାତି ଯାଏଁ ପଢୁଥାଏ ଯେବେ ମୁଁ । 

ମୁଁ କିନ୍ତୁ ଥିଲି ବଡ଼ ଅଧର୍ଯ୍ୟ । କାଜଲର ମାମା, ଦିୟା ଆଣ୍ଟି, ମନୀଷା ଆଣ୍ଟି ସମସ୍ତେ ସୋସିଆଲ ମିଡିଆରେ ଲାଇକ୍, ଲଭ, ହାହା, ୱାଓ, କମେଣ୍ଟ, ଫଟୋ ଉପଲୋଡ କରି ଧୂଆଁ କଲେଣି । ଫେସବୁକ, ଟୁଇଟର ,ଇଂଷ୍ଟା କିଛି ଛାଡିନାହାନ୍ତି ।

ସେ ଯାଏଁ ବି ମୋ ବୋଉକୁ ଠିକସେ କଣ୍ଟାକ୍ଟ ଲିଷ୍ଟ ରୁ ନାଁ ବାହାର କରି ଡାୟଲ କରି ଆସୁନଥିଲା । ମୋର ଶତ ଚେଷ୍ଟା ପରେ ବି । ବଡ଼ ଅସହଜ ମନେହୁଏ ସାଙ୍ଗମାନଙ୍କ ଗହଳରେ । ଏମିତିକି ଘର ଛାଡିବା ପର୍ଯ୍ୟନ୍ତ , ପାରିନଥିଲି । 

***

-କ୍ୟାମେରା ଅନ୍ କର !
- କ'ଣ କହୁନୁ !
-କହିଲି ପା' କ୍ୟାମେରା ଅନ୍ କର !
- ଉଫ୍ , ଭିଡ଼ିଓ କଲିଂ ଟା ତତେ କିଏ ଶିଖେଇଲା କେଜାଣି ! 
- ତୁ !
- କେବେ ମ ? ଯେବେ ଶିଖଉଥିଲି ତ କିଛି ଶିଖୁନଥିଲୁ । ଖାଲି ମୁହଁ ମୋଡି ଦେଉଥିଲୁ ! ହୁଁ,  ଦିଶିଲା !
- ଖଟ ଉପରେ ବହି କାହିଁକି ଥୁଆ ହେଇଚି ?
- ବୋଉ ତୁ ମୋତେ ଦେଖ ନା ! ବହି କୁ କାହିଁକି ଦେଖୁଚୁ ?
- ଚୁଟି ଗୁଡା ଏମିତି ବାୟାଣୀଙ୍କ ପରି କ'ଣ କରିଛୁ ! ବାନ୍ଧୁନୁ !
-ଓଃ, ଓକେ !  ହେଲା !
-ଜଳଖିଆ କ'ଣ ଖାଇବୁ ଆଜି !
- ଗାଜର ହାଲୱା ବନେଇବି !
-ସତେ ! 
- ୟେସ୍ , ଚ୍ୟାଲେଞ୍ଜ ଦେଇଛି ସେ ମତେ !
- କିଏ ?
- କିଏ ଆଉ ! ତୋ ଭାବି ଜ୍ୱାଇଁ ! ପୁଅ ଭାବୁଛି କଣ ନିଜକୁ କେଜାଣି !
- ଏ ! ସେମିତି କ'ଣ କହୁଛୁ !
- ତୁ ଆଉ ଏତେ ଜ୍ବାଇଁ ପଟିଆ ହଅନି ! 
- ହଉ ହଉ , କେମିତି କରିବୁ କହିଲୁ ?
- ଜଣା ନାହିଁ !  କହ ମୋତେ ! ଗାଜର ଗ୍ରେଟ୍ କରିକି ବସିଛି । 
-କଡେଇରେ ଘିଅ ଦି'ଚାମଚ ଦେଇ ଗରମ କର, ତେଜପତ୍ର ପକା, ଗାଜର ତକ ଫ୍ରେଏ କରିନେ ସିମ୍ ରେ କିଛି ସମୟ ପାଇଁ ।
- ଓକେ....ହୁଁ ଡନ୍ ! 

(କିଛି ସମୟ ପରେ)
-ବୋଉ ! (ଜୋରସେ ଚିଲ୍ଲେଇ )
-କଣ୍ ହେଲା ! ପୋଡ଼ିଦେଲୁ ନା କଣ !
- ତୁ ମୋ ଛୋଟ ବେଳର ସେ ବିନା ଡ୍ରେସ୍ ବାଲା ଫଟୋ ଫେସବୁକ ରେ ଉପଲୋଡ କରିଦେଇଛୁ !!!!
- ହଁ, ମୋ ସୁନ୍ଦରୀ, ମୋ ଫୁକୁଲି, ମୋ ବେଙ୍ଗୁଲି !
- ଏସବୁ କ୍ୟାପ୍ସନ୍ ରେ ଲେଖିଦେଇଛୁ !
- ହଁ...
- ପ୍ଲିଜ୍ , ବୋଉ ତତେ ରିକ୍ୱେଷ୍ଟ କରୁଛି ! ସେ ଫଟୋ ଡିଲିଟ୍ କରିଦେ ।
- କାଇଁ ! ସେଥିରେ ତ ତୁ  ଟିକିଟେ ଅଛୁ ! ଗୁଲୁଗୁଲିଆଟେ ଥିଲା ମୋ ରାଣୀ ! 
- ବୋଉ ପ୍ଲିଜ୍ ! ମୋର ବହୁତ ସାଙ୍ଗ ବି ଆମର ମ୍ୟୁଚୁଆଲ ଫ୍ରେଣ୍ଡ ଅଛନ୍ତି । ମୋ ସୁନା ବୋଉ ମୋ କୁନି ବୋଉ ପ୍ଲିଜ୍ ସେ ଫଟୋ ରିମୁଭ କରିଦେ ! ପ୍ଲିଜ୍ ! ପ୍ଲିଜ୍  ! ପ୍ଲିଜ୍ !
- ଆଚ୍ଛା ହଉ ! ଏବେ ଗାଜର କୁ ଦେଖ !
- ହଁ... ସେମାନେ ୟା' ଭିତରେ ବନି ସାରିଲେଣି ! 
- କ'ଣ ?
-ହଁ, ତତେ ପଚାରିବା ଆଗରୁ ୟୁ ଟ୍ୟୁବ୍ ରୁ କିଛି ଭିଡିଓ ଦେଖି ସାରିଥିଲି ମୁଁ ।
- ଆରେ ବାଃ ! ମୋ ଝିଅ ତ କେତେ କଥା ଶିଖି ଗଲାଣି ! ମତେ ଜଲ୍ଦି ଫଟୋ ପଠା , ମୁଁ  ହ୍ଵାଟ୍ସଆପ୍ ଷ୍ଟାଟସ୍ ରେ ରଖିବି ! " ଗାଜର ହାଲୱା ମେଡ୍ ବାଏ ମାଇଁ ହନି "
- କ'ଣ  ଯେ କହନ୍ତି ତତେ ବୋଉ ! କେବେ ଆଉ କଉଠୁ ଶିଖିଲୁ ଏ ସବୁ କହନି !
- ବେକରେ ପଡିଲେ ଢୋଲ,  ଆପେ ବାଜଇ ବାଦ୍ୟ !

■■■

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba