ସେଦିନ ଆଖି କଥା ପଡ଼ିଲାରୁ
ଚେମା ନାନୀ କହିଲା,
ଏ ଆଖି ଯୋଡ଼ିକରେ କାଳେ
ଫଳିବ ଆଉ କା' ପ୍ରତିବିମ୍ବ,
ସତେ ନା କ'ଣ ମ !
ଆଚ୍ଛା ହଉ ମାନିନେଲି
କଲି ବି ତମ କାନ୍ଥରେ
ଫାଶୀ ଦେଇ ଆତ୍ମର ହତ୍ୟା ।
କିନ୍ତୁ ଏ କ'ଣ !
ଆଖି ବୁଜିଦେଲା ପରେ ବି ପ୍ରତିଫଳେ,
ପରଦା ଡିଏଁ ମେଞ୍ଚା ମେଞ୍ଚା ରଶ୍ମି,
ଦାଢ଼ି ପରେ ଟ୍ରିମର ଗଡ଼ିବାର
ଦେହଝରା ନିଭିଆ ସ୍ୱେଦ,
ଆରେ ଆରେ କଲର୍ ତ ଠିକ୍ କର
ନୀଳ ଚେକ୍ ସାର୍ଟଟା ଭଲ ମାନୁଚି,
ଏଇ, ଜଲ୍ଦି ଫେରିବ !
ଜାଣେ,
ଜାଣେ ତମେ ଫେରିବ
ନଫେରିବାର ଚାରା କାହିଁ,
ଫେରିବ କିନ୍ତୁ ପ୍ରତୀକ୍ଷା ମରିବା ପରେ
ମଉଳା ମୁହଁ
ଅତର ଉଡ଼ା ଶରୀରଟେ ନେଇ,
ପରସ୍ତ ପରସ୍ତ ଖୋଲିଦେଇ ଯିବ ଚିରାଚରିତ
ଲମ୍ବାବାଳ, ଲିପଷ୍ଟିକ୍ ଦାଗ
ଆଉ ମୁଁ....
କେଉଁ ଏକ ଅଦେଖା ଭୁଜାଲିରେ
ପୁଣିଥରେ କ୍ଷତାକ୍ତ ।
ଓଃ, ପାରିବିନି,
ଏଇ ଟିକେ ପାଖରେ ପାଇବି ବୋଲି....
ଯାଃ, ମୁଁ ଆଖି ଭଡ଼ାରେ ଦେବିନି !
© ପଲ୍ଲବୀ
୨୭/୦୩/୨୦୨୦
No comments:
Post a Comment