ଫଟୋ: ଶାନ୍ତି ଭୂଷଣ ଆଚାର୍ଯ୍ୟ
ତମର ଏ ଚହଟ ଚିକ୍କଣ ମେଳା ବୁଲିଯିବା ବେଶ ଦେଖି ଘଟଣାଟିଏ ମନେପଡ଼ିଗଲା । କ'ଣ ଆଉ କରିବି ଗପୁଡି ନୋକ, ଏ କଥା ଗୁଡାକ କ'ଣ ପେଟେରେ ରହୁଛନ୍ତି ! ସହଜେ ପୁଣି ନାରୀ ଜନମ ।
କୋରାପୁଟ "ପରବ"ଟା ଆରବର୍ଷ ଦେଖିପାରିନଥିଲି ବୋଲି ମନଉଣା ହେଇଥିଲା । ଏ ବରଷ ବି ସେଇ ସମାନ ଅବସ୍ଥା , ଭାଇ ତ ଡ୍ୟୁଟିରେ ଥିଲା ମୋତେ ନେବ ବା କିଏ । ମନ ତ ଅଛି କ'ଣ କରିବି । ମନକୁ ମନରେ ନମାରି ଶେଷରେ ସହକର୍ମୀ ମାଡ଼ମ୍ ମାନଙ୍କ ଆଗରେ ଦେଲି ଖୋଲି । ସହ "କର୍ମୀ" ତ ନୁହଁ ,ସାଙ୍ଗ ପରି । "ଏଇଟା ଗୋଟାଏ କଥା !" କହି ଶେଷକୁ ସୌମ୍ୟା ମାଡ଼ମ୍ ମଙ୍ଗ ଧରିଲେ । ରାତିରେ କୋରାପୁଟରେ ରହି ପରବ ବୁଲିବା ବ୍ୟବସ୍ଥା ହେଇଗଲା । ଜୟପୁରରୁ କୋରାପୁଟ ପାଖାପାଖି ୨୦ କି.ମି । ମଞ୍ଜିରା ମାଡ଼ମ୍ ଆଉ ମୁଁ ଜୟପୁରରୁ ପ୍ରାୟ ୪:୩୦ ରୁ ବାହାରି ସଂଧ୍ୟା ୬ଟା ସୁଧା ପହଞ୍ଚିଗଲୁ । ପରେ ପରେ ଫ୍ରେଶ ହେଇ ଦଳ ବଳ ଘେନି ବାହାରି ପଡ଼ିଲୁ ପରବ ପଡିଆ ।
ଆଖିରେ ହଳେ ଆଖି ଅଧିକା ଲାଗିବା ଦିନରୁ କାହିଁକି କେଜାଣି ଛୋଟରୁ ଛୋଟ ଘଟଣା, ଦୁର୍ଘଟଣା, ଅଙ୍ଗୀ, ଭଙ୍ଗୀ, ଠାଣି, ବାଣୀ, ଚିତ୍ର, ଚରିତ୍ର କାହାଠାରୁ ମଧ୍ୟ ସହଜରେ ମୁଁ ଆଖି ଫେରେଇ ପାରେନି । ମତେ ଲାଗେ ଏ ସବୁଥିରେ ଯେମିତି ଗପଟେ କି କବିତାଟେ ଲୁଚିଛି । ଆଉ ଯେମିତି ସେମାନେ ମୋତେ କହୁଛନ୍ତି, " ଆମେ ଅଣନିଶ୍ବାସ ହୋଇଯାଉଛୁ , ଭାଷା ଭାବ ଦେଇ ଆମକୁ ପଦାକୁ ବାହାର କର, ଆମେ ବି ଦୁନିଆ ଦେଖୁ ! " ସେ ସମୟରେ ମତେ ଯଦି କେହି ନିରିଖେଇ ଅନୁମାନ କରିବ, ବେଡି, ଜାଡ଼ି, ଓଲ୍ଲୀ... ଭାବିବାଟା ଥୟ ।
ନୂଆ ପୁରୁଣା କେତେ କଥା ଆଖିରେ ପଡୁଥାଏ । ଜିନିଷ ଗୁଡାକ ଯେମିତି ସେଠି ରାବୁଥା'ନ୍ତି.... ମେ....ଳା(ଲା), ମାନେ" ମୁଁ ଆଇଚି, ମୋତେ ନେ (ପଇସା ଦେଇ) ।"
ଝିଅପିଲା ମନ... ଚୁଡ଼ି, କାନଫୁଲ, ଘରକରଣା, ଚାଟ୍, ଗୁପଚୁପ୍, ଆଇସକ୍ରିମ ଆଡେ ବଳେ ଘୋଷାଡି ହେଇଯାଏ । ଏ ଷ୍ଟଲ ସେ ଷ୍ଟଲ ବୁଲୁ ବୁଲୁ ଆମ ଦଳଟା ବି ଗୋଟାଏ ଚୁଡ଼ି ଦୋକାନ ଆଡେ ଘୋ କିନି ମାଡିଗଲା ।
ଭିଡରେ କେହି କାହାକୁ ସାଇଡ ଛାଡିବାକୁ ନାରାଜ୍ ହେଉଥିବା ସମୟରେ ଜଣେ ଭଦ୍ରବ୍ୟକ୍ତି କିନ୍ତୁ ନିଜେ ସାଇଡ ଦେଇ ଜଣେ ମହିଳାଙ୍କୁ ସାଇଡ ହେବାକୁ କହି, "ଆସ ଆସ ଝିଅମାନେ" ବୋଲି ଡାକୁଥା'ନ୍ତି । ଦୋକାନ ସେପାଖରେ ଥାଇ ଡାକିବା ଆଉ ଏପାଖରେ (ଗରାଖ ଆସିବା ପାଖରେ) ଥାଇ ଡାକିବା..... ମୁଁ ପଛରେ ଥାଇ ଅନୁଧ୍ୟାନ କରୁଥାଏ... ବାଦାମବାଡ଼ି ଠେଇ ଅଟୋରୁ ଓହ୍ଲେଇଲା କ୍ଷଣି ବସ୍ ବାଲା ଯେମିତି ହାତରୁ ଜିନିଷପତ୍ର ଛଡେଇ ନେଇ ବସ୍ ରେ ରଖି ଦିଅନ୍ତି ଏଠି ବି ସେ ବ୍ୟବସ୍ଥା ନା କଣ ! ସେ ଯା' ହଉ ବେଶି ସମୟ ଲାଗିନଥିଲା ଭାବନାରେ ଯବନିକା ପକେଇବାକୁ । କାନମୁଣ୍ଡା ଆଉଁଷି ମୁହଁକୁ ଶୁଖେଇ ଭିଡରୁ ବାହାରୁଥିବା ମହିଳାଙ୍କୁ ଭଦ୍ରବ୍ୟକ୍ତି ଜଣକ କହୁଥା'ନ୍ତି, " ଘରେ ପା' ଏସବୁ ଦୁନିଆ ଗଦା ହେଇଚି !"
ବାସ୍ , ଆଉ ଜାଣିବାକୁ ବାକି ରହିଲାନି ଯେ, ସେ ଭଦ୍ରବ୍ୟକ୍ତିଙ୍କ ଚରିତ୍ରଟି ହେଉଛି "ସ୍ୱାମୀ " ।
ସେତେବେଳେ ଯାଇ ବୁଝାପଡ଼ିଲା ଯେ...ତମେ ଏଡ଼େ ସୁନ୍ଦୁରିଆ ସ୍ତ୍ରୀଙ୍କୁ ଘରେ ଥୋଇଦେଇ ,ଭାଇଭଉଣୀ ଧରି ଏଡ଼େ ଆଡ଼ମ୍ବରରେ ଯାତ୍ରା କରିବାକୁ କାହିଁକି ବାହାର ! ପରେ ପରେ ରସଗୋଲା ଖୋଇ ମାନଭଞ୍ଜନ କରିବାକୁ ପଡୁ ପଛେ "ସ୍ତ୍ରୀ" ଚରିତ୍ର ଟିକି କେବେହେଲେ ମେଳା ବୁଲେଇ ନେବ ନାହିଁ ।
×××××
ନଣନ୍ଦମାନଙ୍କ କାମ ତ କଳି ନଗେଇବା ,
ସେତିକିରେ ମୋ ମନ ବା କେମିତି ବୁଝିଯିବ ! ପ୍ରସଙ୍ଗଟି ଭାଉଜଙ୍କ ପାଖକୁ ନେଇକି ଗଲି ।
- "ଭାଉଜ ମ ! ଜଗା ନା' ତମକୁ କୁଆଡେ ମିଶା ଟିକେ ବୁଲେଇ ନଉନାହାନ୍ତି, ତମ ମନ ଦୁଃଖ ହଉନି ? ମୁଁ ହେଇଥିଲେ ତ ଛାଡିକି ପଳାନ୍ତି ।"
- ଆଲୋ ! ସିଏ କଣ ନେବେ ବା' , ମୁଁ ଯାଉନି ନା....
- ହେଁ ....ସତେ ! ହେଲେ କାହିଁକି ?
- ଆଲୋ ହେ, ମେଳା ଦେଖିଯିବ ବୁଲିବ,କିଣିବ ସିଆଡେ ତ ଏକାବେଳକେ ଚାଟ୍,ଠୁଙ୍କାପୁରି ଠୁଙ୍କି କିରି ଆସିବ ।
-ହଁ ତ !
-ନା....ଷାଠିଏ ପଉଟି ଭୋଗଲାଗି ହେବ ସାଆନ୍ତେଙ୍କର ପଙ୍ଗତ ପଡିବ । ଦିନେ ଅଧେ ଚଳେଇ ନେବେନି । ବୁଲିବାଲି ଆସିଲା ବେଳକୁ ପାଦ, ଅଣ୍ଟା ,ପିଠି ସବୁ ଲାଗିଯାଉଥବ ସେଇଥିରେ ପୁଣି ଖଅଟ ! ହେସ୍ , ଏଇଥିଲାଗି ଲୋକଟା ସହ କୁଆଡେ ଗୋଡ଼ କାଢ଼ିବାକୁ ଇଚ୍ଛା ହୁଏନି ।
- ଓହୋ...
- ଆରେ ହେ, ଖାଲି କ'ଣ ସେତିକି !
- ଆଉ ପୁଣି କ'ଣ !
- ମେଳା ବୁଲି ଯାଇଛ ଯଦି ଖାଲି ବୁଲ, ଖାଅନି କି କିଛି କିଣନି ,ଖାଇଲେ କି କିଣିଲେ ସେଇଠି ମୁହଁଟାକୁ ଇମିତି ଫଣଫଣ କରିଦେବେ ଯେ, ମନ ଛାଡିଯିବ ଏ ମଣିଷର । ଖାଇବାକୁ ଯାଇଛ ଯଦି କେବଳ ଖାଇକି ଘରକୁ ପଳେଇ ଆସ , ଆଉ ପାଖାପାଖି ଟିକେ ସପିଙ୍ଗ କି ବୁଲାବୁଲି ହେଇପାରିବନି , ଯଉଟା କିଣିବାକୁ ଯାଇଛ କେବଳ ସେଇଟା ହିଁ ଆଣ ପରେ ଯଦି କଣଟେ ମନେପଡ଼ିଗଲା ବା ଦେଖିକି ମନହେଲା , ଉତ୍ତର ଆସିବ " ଆଉକେବେ" । ଆଉ ସେ "ଆଉକେବେ" ଚାରି ଛ' ମାସଯାଏଁ ଆସିବାର ନାହିଁ । ପୁଣି କେହି ଯଦି ଦେଖା ହେଲେ ସାଙ୍ଗସାଥି ଦି' ଚାରି ପଦ ଦୁଃଖ ସୁଖ ହେଇଗଲେ ବି ଏଙ୍କ ଦେହେରେ ଯିବନି !
- ହେଁ ....ଏମିତି କଥା !
- ବହୁତ ନଥା ଲୋ, ଯିଏ ଭୋଗିଛି ସିଏ ଜାଣିଚି । ମନେରଖ ! ଶାଶୁ,ଶ୍ୱଶୁର ,ଯା' ,ନଣନ୍ଦଙ୍କ ସହ ମେଳା ବୁଲିଯିବୁ...କିନ୍ତୁ ଏ "ସ୍ୱାମୀ" ଚରିତ୍ରଟି ସହ ଭୁଲରେ ବି ଯିବୁନି । କାନିରେ ଗଣ୍ଠି ପକେଇ ରଖ । ବୁଝିଲୁ ?
(ମନେମନେ ମୁଁ)
ଆଉ ତ... ବରଗଡ଼ ଧନୁଯାତ୍ରାଟା ବାକି ରହିଲା, ହଁ ହଁ ପ୍ରଭୁଦତ୍ତ ଭାଇ କହୁଥିଲେ ତାଙ୍କ ନୟାଗଡରେ କାଳେ ବଡ଼ ଉତ୍ସବ ଟାଏ ହୁଏ...ସବୁ ଏଇନା ବୁଲିଦେବି ଯେ,ସେ ବେଳକୁ କେହି କୁଆଡେ ନନେଲେ ବି ଫଟୋ ଦେଖି ମନ ବୁଝେଇଦେବି ଆଉ....
■■■
No comments:
Post a Comment