New

Post Top Ad

Shubhapallaba Hindi Portal

Sunday, November 10, 2019

ବେଡ୍ ଟି

          କାଉ କା' ନକରୁଣୁ ଆମ ଘରେ ଆରମ୍ଭ ହେଇଯାଏ ଚା' ପର୍ବ । ଆଉ ଯଦି କୌଣସି କାରଣରୁ  ବୋଉର ଉଠିବା ଟିକେ ବିଳମ୍ବ ହେଇଗଲା, ଜେଜେବାପାଙ୍କ ହେମଦସ୍ତା ଖୁଡ଼ ଖାଡ଼ ଶବ୍ଦରେ  ବୋଉ ତରତର ରେ ଉଠିପଡ଼ି ରୋଷେଇ ଘର ଭିତରକୁ ପଶିଯାଏ ଚା' କରିବାକୁ । ଦୁଇ କପ ଲେଖାଏଁ ଚା' ନପିଇଲେ କାହାର ନିଦ ଠିକସେ ଭାଙ୍ଗେନି ତ କାହାର ପେଟ ସଫା ହୁଏନି ଆଉ କାହାର ମୁଣ୍ଡ ବିନ୍ଧେ । ମୋଟା ମୋଟି ଭାବରେ ବିନା ଚା' ରେ ଆମଘରେ କାହାର ବି ରାତି ପାହେନି । ଦିନରାତି ୨୪ଘଣ୍ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ  ଚା କପେ କେହି ଯାଚିଦେଲେ ଆମଘରେ କେହି ବି ମନା କରିବାର ମୁଁ ଶୁଣିନି । ରାସ୍ତାରେ ଚାଲି ଯାଉଥିବା ଲୋକଙ୍କୁ ଡାକିକି ଚା ପିଏଇବା ଆଉ ଜୀବନରେ କେବେ ଚା ନପିଇଥିବା ଲୋକକୁ ପ୍ରେମରେ ଟିକେ ଟିକେ  ଯାଚି ଅଭ୍ୟାସ କରେଇ ଦେବାରେ ପ୍ରତିଟି ସଦସ୍ୟ ମାଷ୍ଟର । ପ୍ରଥମ ଶିକାର ମୋ ବୋଉ ।
              ବୋଉ କହେ ସେ ଯେବେ ନୂଆ ନୂଆ ବାହାହୋଇ ଆମ ଘରକୁ ଆସିଥିଲା  ଦିନେ କୁଆଡେ ମୋ ଜେଜେବାପା ଆଉ ଜଣେ ଅଜା (ବୋଉର  ମାମୁଁଶ୍ୱଶୁର) ଦିହେଁ ମିଶି ଷୋହଳ କପ ଆଉ ମୋ ଜେଜେମାଆ,ନନା,ପିଉସୀ ନାନୀ ଅନ୍ୟାନ୍ୟ ସଦସ୍ୟ ମିଶି ଗାଏ ମୋଟ ବତିଶ କପ ଚା ପିଇ ଦେଇଥିଲେ। ଜେଜେମାଆଙ୍କ ପାଇଁ ତ ଦୁନିଆର ସବୁ ଔଷଧ ଗୋଟେ ପଟେ ଆଉ ଚା' ଗୋଟେ ପଟେ । ବୋଉ କହେ, ମୋ ଜନ୍ମ ବେଳେ ବୋଉକୁ ଯନ୍ତ୍ରଣା ହେବାରୁ ଜେଜେମାଙ୍କ ଉପଦେଶ କ୍ରମେ ନାଲି ଚା ପିଇ ହସ୍ପିଟାଲ ଯାଇଥିଲା ।
      ବୋଉ ଯେହେତୁ ଚା' ର ବିପକ୍ଷରେ ତେଣୁ ମୁଁ ଆଉ ମୋ ଭାଇ ଟିକେ ଡେରି ଅଥବା କଲେଜ ପଢିବା ପରେ ହରଲିକ୍ସରୁ ମୁହଁ ଫେରେଇ ଧୀରେ ଧୀରେ ଚା' ଆଡେ ମୁହେଁଇଲୁ । ବୋଉ ଡର ରେ ବେଶୀ ନୁହେଁ ସକାଳେ ସଞ୍ଜରେ କପେ ଲେଖାଏଁ ମୁଁ ପିଏ । ସକାଳୁ ଆଖି ନଫିଠୁଣୁ ବୋଉ ଅଦା, ଗୋଲମରିଚ ପକା ଚା' କପେ ଆଙ୍ଗୁଠି ରେ ଗେଞ୍ଜି ଦିଏ ଆଉ ତା ସହ ଏତକ ବି କହେ ,"ଏ ଅଭ୍ୟାସ ଛାଡ଼ ! ଶାଶୁ ଘରେ ବାଡେଇ ପକେଇବେ ।"

◆◆◆

   ପିଜି ପଢିବା ବେଳେ ଏବଂ ଚାକିରି ପରେ ସାନ ଓ ବଡ଼ ଭାଇ ସହ ଘରଠୁ ଦୂରରେ  ରହୁଥିଲି । ଘର ଛାଡିବା ପରେ ସାନ ଭାଇର ପ୍ରଥମ ବାକ୍ଯ ମୋ ପାଇଁ ଥିଲା, " ମୋ ସହ ବର୍ଷ ଟିଏ ରହ, ଦୁନିଆର ଯେତେ ବଡ଼ ଖତରନାକ ଶାଶୁ ଘର ମିଳିଲେ ବି ତୁ ହାର ମାନିବୁନି" । ସତରେ ବି, ମୋ ବୋଉ ମତେ ଏତେ ବର୍ଷ ରେ ଯେତିକି ଶିଖେଇ ପାରିନଥିଲା ଭାଇ ମାନେ ୨ ବର୍ଷ ରେ ତା'ଠାରୁ ଅଧିକ ଶିଖେଇଦେଲେ । ପ୍ରତିଦିନ ୟୁ ଟ୍ୟୁବ ଦେଖି କିଛି ନୂଆ ଆଇଟମ ନୂଆ ରିସର୍ଚ୍ଚ । ସବୁ ଘରେ ହିଁ ତିଆରି କର ବାହାର ଖାଇବା ପୁରା ବନ୍ଦ । ପୂର୍ଵରୁ ଯଦିଓ ହଷ୍ଟେଲର ପାଣିଆ ଡାଲି ଆଉ ରାସ୍ତା କଡ଼ ଫାଷ୍ଟ ଫୁଡ଼ ଖାଉଥିଲେ ,ମୋତେ ଦେଖି ପୁରା ହାଇଯେନିକ ହେଇଗଲେ । ଫର୍ମାଇସ ଉପରେ ଫର୍ମାଇସ ଜେଜେମାଙ୍କ ପରି ଲାଉ ରାଇ କର, ବୋଉ ପରି ଡାଲମା କର,ଡାଲମାରୁ ବାସ୍ନା ନାହିଁ, ସନ୍ତୁଳା ର ଛୁଙ୍କ ଠିକ ହେଲାନି, କହିବାକୁ ଗଲେ ଘରଟା ଗୋଟେ ରକମର ରେସ୍ତୋରାଁ ପାଲଟି ଯାଇଥିଲା ।
ଏ ସବୁ ସତ୍ତ୍ୱେ ମଧ୍ୟ 'ବେଡ଼ ଟି' ଅଭ୍ୟାସ ଟା ଛଡ଼ାଇ ପାରିନଥିଲେ ଦୁହେଁ । କେବେ ସାନ ଭାଇ ତ କେବେ ବଡ଼ ଭାଇ ଭୋର ୫ ଟା ରୁ ଚା' ବନେଇ ଜବରଦସ୍ତ ପିଆଇ ନିଦ ଭାଙ୍ଗିଦେଉଥିଲେ, ଆଉ ଦେଲାବେଳେ ଏତକ ବି ଶୁଣେଇ ଦେଉଥିଲେ " ତୁ ଯାହା ହଉଛୁ, ଶାଶୁ ଘରେ ଗୋଇଠା ମାରିଦେବେ,ସେତେବେଳେ କେହି ବି ପିଠିରେ ପଡିବେନି" ।  

◆◆◆
  
     ପ୍ରତ୍ୟୁଷଙ୍କ ସହ ପ୍ରସ୍ତାବ ପଡିବା ଆଉ ଦେଖା ଚାହାଁ ମିଳାମିଶା ପରେ ଜାଣିଲି ତାଙ୍କ ଘରେ କେହି ବି ଚା' ପିଅନ୍ତିନି । ଯେହେତୁ ଏ ଘଟଣାଟି ମୋ ପିଉସୀ ନାନୀ ମାନଙ୍କ କ୍ଷେତ୍ରରେ ଘଟି ସାରିଥିଲା ତେଣୁ ସେମିତି ବେଶି କିଛି ଆଶ୍ଚର୍ଯ୍ୟ ଲାଗିନଥିଲେ ମଧ୍ୟ ସମସ୍ତଙ୍କ ସତର୍କବାଣୀ ମନରେ  ଏକ ପ୍ରକାର ଭୟ ବିଞ୍ଚି ଦେଇଥିଲା ।
ତେଣୁ ଶୋଇବା ପୂର୍ବରୁ ଆଲରାମ ଦେବାକୁ ମୁଁ ଭୁଲି ନଥିଲି ।
      ହେଲେ ନିଦ ଭାଙ୍ଗିଲା, " ହଇରେ ଉଠ ! ତମ ଚା' ଥଣ୍ଡା ହେଲା" ଶୁଣି । କିଛି ସମୟ ପାଇଁ ମୁଁ ଦ୍ଵନ୍ଦରେ ପଡିଗଲି ଯେ, ମୁଁ ଅଛି କେଉଁଠି? ଆଖି ମଳି ମଳି ଦେଖେ ତ, ସେ ଚା' ଦୁଇ କପ ଧରି ଖଟ ପାଖରେ ଛିଡା ହୋଇଛନ୍ତି । ମୁଁ ଉଠି ବସୁ ବସୁ ସେ କପଟା ମୋ ଆଡ଼କୁ ବଢ଼ାଇ ଦେଇ କହିଲେ,"ପ୍ରଥମ ଥର କରିଛି ମାଡାମ ! ପିଇ କରି କୁହ ତ କେମିତି ହେଇଚି ?"
ମୁଁ: ହେଲେ ତୁମେ ତ  ଚା' ପିଅନି । ବନେଇଲ କେମିତି ?
ସେ: ୟୁ ଟ୍ୟୁବ  ଦେଖି ।
ମୁଁ(ଚା' ଢୋକେ ପିଇ ଦେଇ): ସତରେ ବହୁତ ବଢିଆ ହେଇଚି ।
ସେ: ନାଇଁମ । (ଢୋକେ ପି)  ଛି ! ଛି ! କଣ ଲାଗୁଛି । ପାଣିଚିଆ ହେଇଯାଇଛି ।
ମୁଁ: ତମେ ତ କେବେ ଚା' ପିଅନି । ସ୍ୱାଦ କେମିତି ଜାଣିବ ଯେ ?
     ଏତିକି କହିଦେଇ ମୁଁ ଚା' କପ ଟିକୁ ପୁଣିଥରେ ପାଖକୁ ନେଲି । କପ ଟି ଯେତିକି ଯେତିକି ମୋ ଓଠ ପାଖକୁ ଆସୁଥିଲା କାହିଁକି କେଜାଣି ମୋ ଆଖି ନଇଁ ମୁହଁ ଟା ଲାଜରେ ଭିଜିଯାଉଥିଲା । ଯେମିତି ସେଇଟା କେବଳ କପେ ଚା ନଥିଲା, ଥିଲା.... ପୂର୍ବ ରାତିର କିଛି ବାକିଆ ପ୍ରେମ ...


No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba