New

Post Top Ad

Shubhapallaba Hindi Portal

Saturday, October 26, 2019

ଜଗାର ଧନତେରସ୍



-କ'ଣ ହେଇଛି ! ଏମିତି ମୁହଁ ଶୁଖେଇ ବସିଛ ଯେ !
- "ସାଥି" ମାନେ କଣ ?
- ଯିଏ ନଥାଇ ଥାଏ !
- "ଜୀବନ ସାଥି" ମାନେ ?
- ଏକଥା ତମେ.... ମତେ ପଚାରୁଛ !
- ହଁ....ଆଚ୍ଛା କହ ତ, ତୋ ଭାଗର  ଭଲପାଇବାରେ ଯଦି ଆଉ କେ' ଭାଗ ବସାଏ ! ତତେ କେମିତି ଅନୁଭବ ହେବ ?
- ଓହୋ.... କ'ଣ କହୁଚ, ଭଲପାଇବାରେ ପୁଣି ଭାଗ ! ମୁଁ ଆଦୌ ବୁଝିପାରୁନି ତମ କଥା ! ସିଧା ସିଧା କହୁନ କ'ଣ ହେଇଛି !
- ତେବେ ଶୁଣ୍ !
- ହୁଁ !
- ଜଗତର ଠାକୁର ହେଲେବି ଯେହେତୁ ଘରଦ୍ୱାର କରି ଭାଇ,ଭଉଣୀ,ପରିବାର ଧରି ଓଡ଼ିଶାରେ ରହୁଛି ତେଣୁ ତମମାନଙ୍କ ପ୍ରତି ମୋର ଅଧିକା ଭାବ । ହଁ କି ନାଁ ?
- ହଁ !
- ଓଡ଼ିଶା କହିଲେ ଲୋକ "ଜଗନ୍ନାଥ" ବୁଝନ୍ତି ଜଗନ୍ନାଥ କହିଲେ ଲୋକେ "ଓଡ଼ିଶା" ବୁଝନ୍ତି । ହିଁ କି ନାଁ ?
- ହଁ !
- ଆମେ ସ୍ବାମୀ- ସ୍ତ୍ରୀ ଦିହେଁ ଯାକ କେବେ ନିଜ କର୍ତ୍ତବ୍ୟରୁ ଓହରି ଯାଇଛୁ କି ?
- ନା ...
- ମୋର ଗୋଟେ ବ୍ୟକ୍ତିଗତ ଜୀବନ ଅଛି କି ନାହିଁ !
- ଅଛି ନା....ନାହିଁ କେମିତି !
- ଅଛି ଯଦି ନିଜ ମୁହଁରେ ମାନୁଚ ତେବେ...ମୋ ସୁଖ ଶାନ୍ତି ଦେଖି ସହି କିଆଁ ପାରୁନ !
- କେଡେ କଥା ହେଲା....କିଏ କ'ଣ କହିଲା ! ତମେ ତ ଜଗତର ନାଥ ,ଭାବର ଠାକୁର ତମକୁ ପୁଣି କିଏ ଦେଖି ସହି ନପାରିଲା...ଧିକ୍ ତା ଜୀବନ,ପୋକ ପଡୁ ତା' ଆଖିରେ !
- ଲକ୍ଷ୍ମୀଙ୍କ ପାଇଁ  ସ୍ୱତନ୍ତ୍ର ଦିନଟିଏ ରଖିଲି, ଲକ୍ଷ୍ମୀପୂଜା କରିବେ ବୋଲି ବ୍ୟବସାୟୀମାନେ ଟାଣିନେଲେ ଯେ ବଜାର , ହାଟ ମେଢ଼ କରି ଦଶ- ବାର ଦିନ ନେଇ ରଖିଲେ , ଅକ୍ଷୟତୃତୀୟାରେ ଚଷାମାନେ ଭିଡିନେଲେ , ଘରଣୀମାନଙ୍କ ମନ କାଇଁ ଦୁଃଖ ହେବ ବୋଲି ମାର୍ଗଶୀର ମାସଟା ଯାକ ତାଙ୍କରି ପାଇଁ ଛାଡ଼ିଲି । ସେଇ କଥାରୁ କଣ ପଦେ କହିଦେଇଥିଲି ବୋଲି, ଯେତେ ସରି ହେଲି ସାରା ଜଗତ ଜାଣିଲା । ଲକ୍ଷ୍ମୀଛଡ଼ା ହେଲି,ବାରଦୁଆର ଯାଇ ଭିକ ମାଗିଲି ...
-କାଇଁ ଆଉ ସେଇ ପୁରୁଣା କଥାକୁ ଧରି ମନ ଖରାପ କରୁଚ କହିଲ ! ଗଲା କଥା ଗଲାଣି...
- କିଛି ଯାଇନି...ମିଛରେ ଅତୀତ ମନେପଡେନି,ଇତିହାସ ଦୋହରେଇ ଦିଆଗଲେ ସବୁ ଗୋଟି ଗୋଟି କରି ମନେପଡେ ଏଇ ପରିଣତରେ...ନଇଁ ପଡିଲା ବେଳେ,ବେଶି ବେଶି ଲୋଡାପଣ ଯେତେବେଳେ...
- ମାନେ !
- କଣ ଆଉ କହିବି ! ଅଜାଗା ଘା' , ଦେଖି ହଉଚି ନା ଦେଖେଇ ହଉଚି । ଛାତି ଭିତରଟା କୋରି ହେଇଯାଉଛି ।

ଆରେ ! ଆଜି ଲୋକଙ୍କ ଦୁଃଖ ସୁଖ ହାନୀଲାଭ ବୁଝାବୁଝି କରି ଫେରି ଦେଖେ ତ ଲକ୍ଷ୍ମୀ ମନ୍ଦିରରେ ନାହାଁନ୍ତି । ବୁଝୁ ବୁଝୁ କଣ ନା ଆଜି ଧନତେରସ୍ । ଫୋନ କଲାରୁ...."ଲାଲଚାନ୍ଦ ରେ ଅଛି,୫ ମିନିଟରେ ଯାଉଛି",ଟିକେ ଛାଡି ଫୋନ କଲାରୁ ..."ଖିମଜିରେ ଅଛି ୧୫ ମିନିଟରେ ଯାଉଛି ।" ଏତେ ରାତି ହେଲାଣି ମନ କ'ଣ ରହୁଛି ! ପୁଣି ଫୋନ କଲାରୁ...."ତନିଷ୍କ ରେ ଅଛି , ରାତିରେ ଆଉ ଫେରି ହେବନି ।"

 ପ୍ରେମିକା ପାଖର "ଶୋଷ"  ,ସ୍ତ୍ରୀ ପାଖରେ "ଶେଷ"  ।

ତୁ ନିଜେ କହ, ଦ୍ୱାପରରେ ରାଧାଙ୍କ ବିରହ କ'ଣ ଯଥେଷ୍ଟ ନଥିଲା ! ଏବେ  ପତ୍ନୀ ବିରହ ଭୋଗିବାକୁ ପଡିବ !

ଭଗବାନ ବୋଲି ମୋର କ'ଣ ,ଆବେଗ, ହୃଦୟ,ମନ ବୋଲି କିଛି ନାଇଁ !
- ନା ନା ...ତମେ ସେମିତି କାହିଁକି ଭାବୁଛ !

-ଫାଇଲିନ,ହୁଡହୁଡ,ତିତିଲି,ଫନି ଆସିଲା ବେଳକୁ  ହାତ ଟେକି "ହେ କାଳିଆ ! ରକ୍ଷା କର",  "ହେ ଜଗା ! ତୁ ଏକା ଆମ ସାହା ଭରସା"....ଏଥର ଡାକ ଛାଡ଼ , ଦେଖିନେବି !

ବୁଝିଲୁ , ଦେଖିନେବି ! 

- ଆରେ....ଆରେ...ଟିକେ ଶୁଣ .....! ପ୍ଲିଜ୍ , ଏମିତି ରାଗନି ମୁଁ ତମ କଥା ସୋସିଆଲ ମିଡିଆରେ ନିଶ୍ଚୟ ପକେଇବି ହେଲା, ଆଉ ମନ ଦୁଃଖ କରନି ...! ଏବେ ତ ହସିଦିଅ ! ନାଲି ଅଧରକୁ ଖିଲି ଖିଲିଆ ହସଟା ମାନେ ଯେ ! ମାନ କି ନମାନ ମୁଁ ସେଇ ହସର ପ୍ରେମରେ....

ଫଟୋ: ଶାନ୍ତି ଭୂଷଣ ଆଚାର୍ଯ୍ୟ

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba