New

Post Top Ad

Shubhapallaba Hindi Portal

Sunday, October 20, 2019

ଲକ୍ଷ୍ମୀମନ୍ତ ପୁରୁଷ

- ଶୁଭୁଚି !
- ଉଁ !
- କାଲି ରାତ୍ରିଭୋଜନରେ ମୋର କିଛି ଅଫିସ୍ ଷ୍ଟାପ୍ ଙ୍କୁ ନିମନ୍ତ୍ରଣ କରିଛି  । ଏଇ ମୋ ପ୍ରୋମୋସନ୍ ଖୁସିରେ ... ପାର୍ଟିଟା ବାକି ରହିଯାଇଥିଲା ତ ! ମୁଁ ଅବଶ୍ୟ ବାହାରେ ବ୍ୟବସ୍ଥା କରିବାର ଯୋଜନା କରୁଥିଲି, କିନ୍ତୁ ସୁଧୀର ବାବୁଙ୍କର ଏକା ଜିଦ୍, ତୁମ ହାତରନ୍ଧା ଗ୍ରିନ୍ ମଟର ତଡକା ଠେଇ ତାଙ୍କ ମନ । ଥରେ ପାଟିରେ ଲାଗିଯାଇଛି ତ ! ଅନ୍ୟ କଉ ମାସ ହେଇଥିଲେ ଚଳିଥାନ୍ତା । କାର୍ତ୍ତିକ ମାସଟା ଯେହେତୁ ମୁଁ ବି ଆଉ ଜୋର୍ ଦେଲିନି ।
- ହା ହା ....ଆଚ୍ଛା ହଉ ! କେତେ ଜଣ ଆସିବେ କି ?
- ଏଇ...ତିନି-ଚାରି ଜଣ ! ତମେ ଗଲ ଗଲ ଘରେ କଣ ଅଛି ନଅଛି ଦେଖିକି କହିଲେ ମୁଁ ସକାଳୁ ହାଟବାଟ ସଉଦାପତ୍ର କରିଦେଇ  ଅଫିସ୍   ଯିବି !

■■■

(ଅତିଥିମାନେ ଆସି ପହଞ୍ଚିଲା ପରେ)
- ରୋଷେଇ ସରିଲାଣି ?
- ହଁ... ପ୍ରାୟ ସରିଗଲାଣି, ପାମ୍ପଡ଼ ଯୋଡ଼େ ଛାଣିଦିଏ ....ତମେ ସମସ୍ତଙ୍କୁ ନେଇ ଡାଇନିଂରେ ବସାଅ, ମୁଁ ଆସୁଛି ।
- ମାଲପୁଆ ଆଣିଥିଲି ।
- ହଁ ହଁ ମୋର ମନେଅଛି !
-ସବୁ ଠିକଠାକ ହେଇଛି ତ...!
- ଆରେ ..... ଏ ଲୋକ କଣ ଏମିତି.....! ତମେ ଗଲ ଏଠୁ ! ଯାଅ ! ଯାଅ କହିଲି ପରା ! ସେମାନେ କଣ ଭାବିବେ ! ଅତିଥିମାନଙ୍କୁ ବସେଇ ଦେଇ ନିଜେ ରୋଷେଇ ଘରେ ପଶିଯାଇଛ ! ହୁହ୍ ! ଲୋକଟାର କାଣ୍ଡ ଜ୍ଞାନ ଟିକେ ନାହିଁ !
- ହଉ ହଉ ମୁଁ ଯାଉଛି ! କଉଥିରେ କିଛି ଉଣା ଯେମିତି ନରହେ !

■■■
(ଅତିଥି ବିଦା ହେଲା ପରେ)
- ହଇରେ ! କୁଆଡେ ଗଲ ! ଶୁଭୁଚି !
-ଓହୋ ....କାଇଁ ଏଡ଼େ ପାଟିଟା କରୁଚ ଶୁଣେ !
-କଣ କଲ କହିଲ !
- କଣ କଲି ?   କଉଥିରେ କିଛି ଉଣା ତ କରିନି ।
- ଉଣା ନୁହଁ, ଅଧିକ କରିଦେଇଥିଲ !
- ହଇହେ, ନିଜ ଭୁଲଟା କହୁନ ! ତିନି-ଚାରିଜଣ କହି ସାତ ଜଣଙ୍କୁ ନେଇ ଆସିଥିଲ, ଆଗରୁ ଟିକେ ଫୋନ କରି ଜଣେଇଥାନ୍ତ ଭଲା...ନା, ସେତକ ବି ତମ ଦେଇ ହେଇପାରିଲା  ନାହିଁ ।
- ମ ...ମ...ମୁଁ ଭୁଲିଗଲି ....ପ୍ରକୃତରେ ସମୟ ମିଳିଲାନି..!
  ତା' ବୋଲି ତମେ ଏମିତି...ଛି ! ଅପଦସ୍ତ କରିଦେଲ ମତେ ସମସ୍ତଙ୍କ ସାମ୍ନାରେ ।

- କଣ ହେଲା ! ମୁଁ ଅପଦସ୍ତ କରିଦେଲି ! ମୋରି ଲାଗି ତମେ ଆଜି ସମାଜରେ ନିଶରେ ଘିଅ ମାରି ଚାଲୁଚ ! ମତେ ନିନ୍ଦୁଛ ! ତମ କହିବା ଅନୁସାରେ ପାଞ୍ଚ ଲୋକଙ୍କୁ ହେଲା ପରି ରୋଷେଇ କରିଥିଲି । ହଠାତ୍ ଲୋକ ସଂଖ୍ୟା ବଢିଯିବା ଦେଖି ଆଉ କଣ କରିଥା'ନ୍ତି ! ସମୟ ବି ତ ହାତରେ ନଥିଲା ! ତଡ଼କାଟା ତ ଆଉ ପାଣିଆ କଲେ ଭଲ ଲାଗିବନି, ତେଣୁ ଟିକେ ଅଧିକ ଲୁଣ ପକେଇଦେଲି । ଅଳପ ଟିକେରେ ଲଗେଇ ଖାଇ ହେଇଯିବ ବୋଲି । ହେଲା ବି ।  ବାଣ୍ଟି କୁଣ୍ଟି ସମସ୍ତଙ୍କୁ ହେଇଗଲା । ଏତକ ବୁଦ୍ଧି ଖଟେଇଲି ବୋଲି ତମ ସନମାନ ଟିକକ ରହିଲା ବୁଝିଲ ! ନିଅଁଣ୍ଟ ହେଇଥିଲେ ତମ ମୁହଁ ରହିଥା'ନ୍ତା ଟି !
- ଧେତ୍ ଅଯଥା ଯୁକ୍ତିରେ ତମକୁ କିଏ ପାରିବ !
-ହଁ, ସେୟା ... କରନି ବି । ନହେଲେ ଜଗନ୍ନାଥଙ୍କ ପରି ଅବସ୍ଥା ହେଇଯିବ । ବାର ଦୁଆର ଶୁଣ୍ଢି ପିଣ୍ଡା ହେଇ ବୁଲିବ ହାତରେ ଥାଳ ଧରି ।

■■■

(ଠାକୁରଘରେ)

ସୁଭା : ଜଗା'ନା ! ବଳିଆ'ନା ! ଶୁଣୁଛ ଟି .....ଭାଉଜ ସିନା ତମମାନଙ୍କୁ କ୍ଷମା କରିଦେଲେ, ହେଲେ କଥା....ରହିଗଲା କାଳ କାଳକୁ ।

ଜଗା : ସବୁ ଏଇ ବଳିଆ'ନାଙ୍କ ପାଇଁ ।
ବଳିଆ : ହଇରେ ଏ ମାଇପ ବୋଲିଆ, କଣ ... କଣ କହିଲୁ ! ସବୁ ମୋରି ପାଇଁ ?
ଜଗା : ଥାଉ ନନା ଆଉ କିଛି କୁହନି । ଲକ୍ଷ୍ମୀ ଶୁଣିଲେ ପୁଣି ଅସୁବିଧା ହେଇଯିବ । ଯୁଗ ସରି ସରି ଆସିଲାଣି । ଶେଷ ସମୟରେ ଆଉ ମୁଣ୍ଡରେ କଳଙ୍କ ଲଗାଅନା  ।
ସୁଭା : ହଁ ଭାଇ, ତମେ ଠିକ୍ କହିଛ !

ଜଗା : ଆଚ୍ଛା ସୁଭୁ ! ତୁ ଆଉ .....ଅର୍ଜୁନଙ୍କୁ ଏଇ ଉଦାହରଣ ଦେଇ ଡ଼ରଉନୁ ତ !
ସୁଭା : ନା ନା ନନା, ମୁଁ ପୁଣି ମୋ ଭାଇମାନଙ୍କ ମାନ ତଳେ ପକେଇବି ! ମୋ ଭାଇମାନଙ୍କ ନାଁ "ଜଗା-ବଳିଆ " । ତାଙ୍କ ପାଇଁ ସେତିକି ଯଥେଷ୍ଟ ।
ଜଗା : ଓହୋ...! ଭଲ ଭଲ, ଇଜ୍ଜତଟା ରହିଗଲା । ମଣିଷ ବଞ୍ଚିଗଲା.....ଓଃ ସରି ମୁଁ ଭଗବାନ ପରା !

   ଫଟୋ : ଶାନ୍ତି ଭୂଷଣ ଆଚାର୍ଯ୍ୟ



No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba