ଆମ ଘରେ ଜେଜେବାପାଙ୍କ ଛଡା ଆଉ କେହି ଏକାଦଶୀ ଉପବାସ ରଖିବାର ମୁଁ କାହିଁ ଜାଣିନି । ଥରେ ଜେଜେବାପାଙ୍କୁ ପଚାରିଥିଲି , "ବାପା ! ଏକାଦଶୀ କଣ ପାଇଁ କରନ୍ତି ଯେ?" ପାନ ଜକା ପାକୁଆ ପାଟିରେ ହସିଦେଇ କହିଲେ, "କ'ଣ ପାଇଁ ଆଉ କ'ଣ, ମାସକୁ ଥରେ ଭଲମନ୍ଦ ଟିକେ ଖାଇବାକୁ ଆଉ... କେତେ ଅବା ସେଇ ଭାତ, ଡାଲି, ତରକାରୀ ଖାଇବ ! ହାଲକା ସୁଆଦିଆ ଭୋଜନ ସାଙ୍ଗକୁ ପାକସ୍ଥଳୀକୁ ବି ଟିକେ ବିଶ୍ରାମ !"
ସତେ ବି, ବୋଉ ଏକାଦଶୀ ଦିନ ଜେଜେବାପାଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ତିଅଣ ନପରସି, ପରସିଦିଏ ଗୁଆଘିଅ ଭିଜା ନରମ ପରଠା ଆଉ ତା' ସାଙ୍ଗକୁ ଲବଙ୍ଗ- ଗୁଜୁରାତି ବାସ୍ନାରେ ଦାଣ୍ଡ ପିଣ୍ଡା ମହକି ଯାଉଥିବା "ସୁଜି ଖିରୀ" ।
ଏତକ ଦେଖି ମୋର କି ମୋ ସାନ ଭାଇର ମନ, କଉ ଛ'ତିଅଣ ନ'ଭଜା ରେ ଥାଏ ! ସାଙ୍ଗେ ସାଙ୍ଗେ ଚଟାଣରେ ଗୋଡ଼ କଚାଡି ପକାଉ । କ'ଣ ନା ଆମର ବି ଆଜି ଏକାଦଶୀ । ଜିଦ କରି ବାପାଙ୍କ ସହ ମିଶି ପରଠା, ସୁଜିଖିରୀ ଖାଉ । ସେଦିନ ଆମର ଭାତ ଖିଆ ବନ୍ଦ ।
ଅନ୍ୟ ଦିନ ଅପେକ୍ଷା ଏକାଦଶୀ ସୁଜିଖିରୀ ର ବାସ୍ନା ନିଆରା । ଏବେ ବି ବୋଉ ପୁନିଅଁ ପର୍ବରେ ଖିରୀ କଲେ ମୋର ବୋଉକୁ ପ୍ରଥମ ଫର୍ମାଇସ, " ଏକାଦଶୀ ରେ ଜେଜେବାପାଙ୍କ ପାଇଁ ଯେମିତି ବାସ୍ନା ସୁଜିଖିରୀ କରୁ, ଆଜି ଠିକ ସେମିତି ଖିରୀ କରିବୁ" ।
ବୋଉ କହେ, "ମୋ ଶ୍ୱଶୁରଙ୍କ ଠାରୁ କିଏ ବଡ଼ ଲୋକ ଅଛନ୍ତି !" ଆମ୍ଭମାନଙ୍କର କୁଆଡେ ଷ୍ଟାଣ୍ଡାଡ଼ ନାହିଁ ସେମିତି ଖିରୀ ଖାଇବାକୁ । ବୋଉ କୁ ଚିଡ଼େଇବାକୁ ଯାଇ ମୁଁ କହିଦିଏ "ହଉ ହେଲା, ତୋ ଜ୍ବାଇଁ ଆସିଛନ୍ତି ଭାବିକି କରିଦେ ।"
ଉପର ମୁହଁକୁ ବୋଉ ଏମିତି କହିଦିଏ ସିନା କିନ୍ତୁ ଭିତରେ, ବହୁତ ଯତ୍ନରେ ମନଧ୍ୟାନ ଦେଇ ଖିରୀ ତିଆରି କରେ । ସ୍ୱାଦ ଯେ ଲାଗେନି ତାହା ନୁହେଁ ହେଲେ ବାସ୍ନାଟା...... ବାସ୍ନାଟା ଯେମିତି ପାଞ୍ଚବର୍ଷ ତଳୁ ଜେଜେବାପାଙ୍କ ସହ କେଉଁ ଏକ ଅଜଣା ଦୁନିଆକୁ ଚାଲିଯାଇଛି ମୁହଁ ଫେରେଇ ହାଣ୍ଡିଶାଳରୁ ! ସତେ ଯେମିତି ସେ ମହକଟା କେବଳ ବୋଉର ଜେଜେବାପାଙ୍କ ପ୍ରତି ଥିବା ନିଷ୍ଠା ଆଉ ଶ୍ରଦ୍ଧାଠାରୁ ଜେଜେବାପାଙ୍କର ବୋଉ ହାତରନ୍ଧା ପ୍ରତି ଲାଳସା ଯାଏ ସୀମିତ ଥିଲା ।
No comments:
Post a Comment