ମାତ୍ର ୪୯ ଟା ମିସ୍ କଲ୍ ପରେ ଯାଇ ବାବୁର ଦୟା ଆସିଲା ।
ହାଇ ମାରି ମାରି ଉତ୍ତର ଦେଲା, "ହେଲୋ ! "
-"ବାବୁ ! ତୁ ଏଯାଏଁ ଉଠିନୁ ! ଆସି ଦଶଟା ବାଜିଲାଣି । ଏଠି ଭୋକରେ ମୋ ପେଟ ଜଳିଲାଣି । ନଖାଇ ନପିଇ ତୋତେ ଅପେକ୍ଷା କରିଛି ରାକ୍ଷୀ ବାନ୍ଧିବି ବୋଲି ଆଉ ତୁ ହାଇ ମାରୁଛୁ !" ଏକା ନିଶ୍ବାସରେ ବର୍ଷିଗଲା ସୌମ୍ୟା ।
-ଉଫଫଫ... ସରି ! ଡୁଲି ନାନୀ ଆଉ ପିଙ୍କି ନାନୀ ଘରକୁ ବି ଯିବାରଥିଲା .... ମୁଁ ତ ପୁରା ଭୁଲିଯାଇଛି । ଧନ୍ୟବାଦ ନାନୀ, ଯା' ହଉ ମନେ ପକେଇଦେଲୁ ।
- କଣ ? ତୋର ନିଜ ଭଉଣୀ ଘରକୁ ଆସି ରାକ୍ଷୀ ପିନ୍ଧି ଯିବାକୁ ମନେରହୁନି । ବଡ଼ ବାପା ଆଉ ପିଉସୀନାନୀ ଝିଅ ଘରକୁ ବାହାରି ପଡିଲୁ !
- ହଁ, କାରଣ ସେଠି ସେମାନଙ୍କ ନଣନ୍ଦ ମାନେ ବି ଥିବେ ନା । ତ ମଜା ଆସିଯିବ । ସେମାନେ ବି ରାକ୍ଷୀ ବାନ୍ଧିବେ ବାନ୍ଧିବେ ହଉଥିବେ । ଆଉ ସେମାନଙ୍କ ଠାରୁ ରାକ୍ଷୀ ନବନ୍ଧେଇବାର ନା ନା ବାହାନା ଭିତରେ କିଛି ଗୋଟେ ହଁ ହଁ ର ସମ୍ଭାବନା ଥିବ ।
ଛାଡ଼ ! ନାନୀ ତୁ ଏସବୁ ବୁଝିପାରିବୁନି । ତୋ ଘର ଖାଲି ଖାଲି ଭାରି ବୋରିଂ !
ଆଚ୍ଛା ଠିକ୍ ଅଛି,ଯଦି ହବ ସଂଧ୍ୟାରେ ଯିବି ତୋ ଘରକୁ । କିନ୍ତୁ ବେଶି ସମୟ ରହିପାରିବିନି କାରଣ ଡୁଲିନାନୀ ଡିନର୍ ରେ ଡାକିଛି । ଆଉ ପିଙ୍କିନାନୀ ଘରକୁ ଏବେ ଲଞ୍ଚରେ ଯିବାକୁ ପଡ଼ିବ । ବାଏ !
(ସୌମ୍ୟା କିଛି କହିବାକୁ ଯାଉଥିଲା ହେଲେ ସେପଟୁ ଫୋନ୍ ଟା ଟୁ ଉଁ ଟୁ ଉଁ ଟୁ ଉଁ ଜବାବ ଦେଇଦେଲା )
ଫୋନ ଥୋଇଦେଇ ଭାବନାରେ ବୁଡିଗଲା ସୌମ୍ୟା । ଯେଉଁ କଥାଟା ସାତ ବର୍ଷ ଧରି ଏତେ ପାଖରେ ଥାଇ ମଧ୍ୟ,ରାକ୍ଷୀ ଦିନ ସୋମେଶ ର ଶୁଖିଲା ମୁହଁରୁ ସେ ଲକ୍ଷ୍ୟ କରି ପାରିନଥିଲା ....ଆଜି ଗୋଟାଏ ଝଟକାରେ ତା' ଭାଇ ତାକୁ ସବୁ ଜଳଜଳ କରି ଦେଖେଇ ଦେଲା ପରେ ଆଖି ଛଳଛଳ ହୋଇ ଆସୁଥିଲା ସୌମ୍ୟର ।
No comments:
Post a Comment