ହଠାତ ବାବାଙ୍କ ବଦଳି ଯୋଗୁଁ ପ୍ରିୟାକୁ ତା' ପୁରୁଣା ସାଙ୍ଗସାଥି ,ସ୍କୁଲ ସବୁକିଛି ଛାଡି ନୂଆ ସ୍କୁଲକୁ ଆସିବାକୁ ପଡେ । ଆସିବାକୁ ପଡେ ବି ସହର ଛାଡି ଗାଁ କୁ । ଗାଁ ସ୍କୁଲରେ ନାମ ଲେଖାହୁଏ ତା'ର ଷଷ୍ଠ ଏବଂ ତା'ଭାଇର ପଞ୍ଚମ ଶ୍ରେଣୀରେ । ନୂଆ ସାଙ୍ଗ,ନୂଆ ଦିଦି,ସାର୍ । କିତିକିତି,ଗୋଡି ଖେଳ ପରି ଅନେକ ନୂଆ ନୂଆ ଖେଳ । ଭାଇ ଭଉଣୀ ହାତ ଧରାଧରି ହୋଇ ୧୦ଟା ବେଳେ ସ୍କୁଲ ଯାଆନ୍ତି ଏବଂ ୪ଟା ବେଳେ ବି ଠିକ ସେମିତି ଏକାଠି ରାସ୍ତା କଡେ କଡେ ଚାଲି ଚାଲି ଆସନ୍ତି ।
ଷଷ୍ଠ ସରି ସପ୍ତମ ହେଲା ପ୍ରିୟାର । ସେଯାଏଁ ଭାଇ-ଭଉଣୀଙ୍କୁ ସ୍କୁଲ ପରେ ଘରେ ବାବା-ମାମା ହିଁ ପଢ଼ାଉଥାନ୍ତି । ଦିନେ ପ୍ରିୟାର କଣ ମୁଣ୍ଡରେ ପଶିଲା କେଜାଣି , ତା'ମାମା କୁ କହିଲା, "ମାମା ମୁଁ ବି ଟିଉସନ ଯିବି ! ମୋର ସବୁ ସାଙ୍ଗମାନେ ଅଖିଳ ସାର୍ ଙ୍କ ପାଖକୁ ଟିଉସନ ଯାଉଛନ୍ତି । "
ମାମା ବାବାଙ୍କୁ କହିଲେ । ବାବା ବି ମନା କାହିଁ କରନ୍ତେ ! ନୂଆ ଜାଗା ଆଉ କାମର ଚାପ ଯୋଗୁଁ ସିଏ ବି ଆଜିକାଲି ପିଲାଙ୍କ ପାଠପଢାରେ ସେତେ ବେଶି ନଜର ଦେଇପାରୁନଥାନ୍ତି ବୋଲି ହୃଦୟଙ୍ଗମ କରୁଥିଲେ । ପୁଣି ପ୍ରିୟାର ସପ୍ତମ ଶ୍ରେଣୀ ,ବୋର୍ଡ଼ ପରୀକ୍ଷା । ସବୁକିଛିକୁ ଆଖି ଆଗରେ ରଖି ବାବା ବି ରାଜି ହୋଇଗଲେ । ସକାଳ ୬:୩୦ ରୁ ୮:୩୦ ଟିଉସନ ଆଉ ତା'ପରେ ସ୍କୁଲ । ଏମିତି ଚାଲେ ପ୍ରତିଦିନ ।
ତା'ରି ଭିତରେ ପଡେ ଭାଦ୍ରବ ମାସ ରବିବାର । ଖୁଦୁରୁକୁଣୀ ଓଷା । ଛୁଟିଦିନରେ ସାର୍ ଟିକେ ଅଧିକା ସମୟ ପଢ଼ାନ୍ତି । ସକାଳ ୭:୩୦ ଟାରୁ ୧୦ ଟା ପାଖାପାଖି । ସାଙ୍ଗମାନଙ୍କ ପୂର୍ବ ଯୋଜନା ଅନୁସାରେ ସକାଳ ୬ଟାରୁ ପ୍ରିୟା ବାହାରି ଯାଇଥାଏ ଟିଉସନ । ଲକ୍ଷ୍ୟ ଫୁଲତୋଳା । ସକାଳୁ ନଗଲେ ଆଉ କଢ଼ଟିଏ ବି ମିଳିବନି । ଯୋଜନା ମୁତାବକ ଏକାଠି ହୁଅନ୍ତି ଟୋନି, ଶୁଭ୍ରା, ସୌମ୍ୟା,ପ୍ରିୟା । ଲୁଗା ଜରି ଖଣ୍ଡେ ଖଣ୍ଡେ ଧରି ଆରମ୍ଭ ହୁଏ ମିଶନ ଫୁଲଚୋରି । ୟା' ତା' ବାଡ଼ିରେ ପଶି, ଟଗର,ମନ୍ଦାର, ମଲ୍ଲୀ, ମାଳତୀ,କନିୟର ଗୁଡାଏ ତୋଳା ହୁଏ । ସୋମ୍ୟା ଥାଏ ସେମାନଙ୍କ ଲିଡ଼ର୍ । ସେ ନାଲି ମନ୍ଦାର ଗଛ ଉପରେ ଚଢିଯାଏ । ଶୁଭ୍ରା ପାଚେରି ଉପରେ ଚଢ଼ି ଟଗର ଡାଳ ଗୋଟେ ପରେ ଗୋଟେ ତଳକୁ ବଢ଼ାଇ ଦିଏ । ଟୋନି ଆଉ ପ୍ରିୟା ତଳେ ଥାଇ ଗଛ ନଣ୍ଡା କରନ୍ତି ।
ଏମିତି କଟିଯାଇଥାଏ ଚାରି ପାଳି । ଶେଷ ପାଳି ଦିନ ଟୋନିର ଆସିବା ଟିକେ ବିଳମ୍ବ ହେବାରୁ ଫୁଲତୋଳି ବାହାରିବା ବି ଡେରି ହୋଇଯାଇଥାଏ ସେଦିନ । କିନ୍ତୁ କମିନଥାଏ ଜୋଶ୍ । କାରଣ ରବିବାର, କଲୋନୀ ଲୋକ ପ୍ରାୟ ସମସ୍ତେ ଡେରିରେ ଉଠନ୍ତି । ଗ୍ରୀଡ କୋ ଅଫିସ ସାରି ପଶିଲେ ସନାତନ ସାର୍ ଙ୍କ ଘରେ । ସନାତନ ସାର୍ ଅବସର ପ୍ରାପ୍ତ ସ୍କୁଲ ଶିକ୍ଷକ । ତାଙ୍କର ଚାରି ପୁଅ ଗୋଟେ ଝିଅ । ସମସ୍ତେ ବହୁତ ଭଲ ପାଠ ପଢ଼ନ୍ତି । ତେଣୁ ସବୁ ସାନ ପିଲାମାନେ ସେମାନଙ୍କୁ ସମ୍ମାନ କରନ୍ତି ,ସେମାନେ ବି ବହୁତ ଭଲପାଆନ୍ତି ଛୋଟ ପିଲାମାନଙ୍କୁ ।
ଜରି ଧରି ସୌମ୍ୟା ଚଢ଼ିଗଲା ମନ୍ଦାର ଗଛକୁ । ଯାହାର ଡାଳ ଲମ୍ବିଥିଲା ଗ୍ୟାରେଜର ଟିଣ ଆଡ଼କୁ । ଗୋଟେ ପରେ ଗୋଟେ ଫୁଲ ତୋଳି ଉପରକୁ ଚଢ଼ୁ ଚଡୁ ଫୁଲ ଲୋଭରେ ପାଦ ଯେମିତି ଟିଣ ଉପରେ ପଡିଛି ଧଡ଼ାସ୍ କିନି ଗୋଟେ ଶବ୍ଦ ହେଲା । ଘରୁ କବାଟ୍ ଖୋଲି କେହିଜଣେ "କିଏ ରେ !" ବୋଲି ଚିଲ୍ଲେଇବାର ଶୁଣି ଯିଏ ଯୁଆଡେ ପାଚେରୀ ଡେଇଁ ଦୌଡ଼ିଲେ । ବଳି ପଡିଗଲା ପ୍ରିୟା, ପ୍ରିୟ ଭାଇଙ୍କ ନଜରରେ । ପ୍ରିୟ ଭାଇ, ପ୍ରିୟବ୍ରତ ଦାଶ, କଲେଜରେ ପଢ଼ନ୍ତି , ବି.ଏସ୍.ସି କେମିଷ୍ଟ୍ରି ଅନର୍ସ । ତାଙ୍କ ସମୟରେ ସେ କାଳେ ପ୍ରିୟା ପଢ଼ୁଥିବା ସ୍କୁଲରେ ଦଶମରେ ଟପ୍ପର ହେଇଥିଲେ ବୋଲି ପ୍ରିୟା ଆଗରୁ ଶୁଣିଥିଲା ସାଙ୍ଗ ମାନଙ୍କଠାରୁ । ଆଜି ତାଙ୍କୁ ଆଖି ସାମ୍ନାରେ ହଠାତ... ପୁଣି ସେ ତାଙ୍କ ବଗିଚାରୁ ଚୋରି କରୁଥିବା ଅବସ୍ଥାରେ ଦେଖା ହେବ ବୋଲି ପ୍ରିୟା କେବେ କଳ୍ପନା ବି କରି ନଥିଲା । ଲାଜ,ଭୟ ଫେଣ୍ଟିଆ ଫେଣ୍ଟି ହୋଇ ଆଖିବାଟେ ବାହାରି ଆସିଲେ । ପ୍ରିୟ ଭାଇ କିଛି କହିବା ପୂର୍ବରୁ ଫୁଲ ଜରି ସେଇଠି ପକେଇଦେଇ ବହି ବସ୍ତାନୀ ଧରି ଘରକୁ ଧାଇଁ ଆସିଥିଲା ପ୍ରିୟା । ଘରେ ମାମା ବାବା ଯିଏ ଯେତେ ପଚାରିଲେ କଣ ହେଇଛି,କିଏ କଣ କହିଲା ....ପ୍ରିୟା ଚୁପ୍ ।
ପରେ ପରେ ଟିଉସନରେ ପିକନିକ ହୁଏ । ପ୍ରିୟ ଭାଇଙ୍କ ଘର ପାଖ ପଡିଆରେ । ପ୍ରିୟ ଭାଇ ଏବଂ ତାଙ୍କ ଭାଇମାନଙ୍କ ସହ କ୍ରିକେଟ, ବ୍ୟାଡମିଣ୍ଟନ ଖେଳନ୍ତି ପ୍ରିୟାର ସାଙ୍ଗମାନେ ,ପୁଅ ଝିଅ ସମସ୍ତେ । ପ୍ରିୟାକୁ କିନ୍ତୁ ସେ ଘଟଣା ପରେ ନିଜକୁ ଭାରି ଖରାପ ଲାଗେ ପ୍ରିୟ ଭାଇଙ୍କୁ ଦେଖିଲେ । ତେଣୁ ସେ ମିଶିପାରେନା । ସରିଯାଏ ବୋର୍ଡ଼ ପରୀକ୍ଷା । ରେଜଲ୍ଟ ବାହାରେ,ଫାଷ୍ଟ କ୍ଳାସ ପାଏ ପ୍ରିୟା । ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଏ ।
ଦିନେ ଖାଇଛୁଟିରେ ଟିଫିନ୍ ଖାଇସାରି ସାଙ୍ଗମାନଙ୍କ ସହ ଅନ୍ତାକ୍ଷରିରେ ମାତିଥାଏ ପ୍ରିୟା । ତା' ଭାଇ ଶ୍ରେଣୀର ଝିଅ ,ଟୁଇଁକଲ ଆସି ଡାକିନେଲା ଏକଲାରେ କିଛି କହିବାର ଅଛି କହି (ପୂର୍ବରୁ ତାଲିମ ପ୍ରାପ୍ତ ପରି) । "ହଁ କୁହ କଣ କହିବ " ପଚାରିଲା ପ୍ରିୟା । ଟୁଇଁକଲ ପଚାରିଲା ଛେପ ଢ଼ୋକି , " ଦିଦି ! ତମେ ପ୍ରିୟ ଭାଇଙ୍କୁ ଜାଣିଛ ? " "କିଏ ପ୍ରିୟବ୍ରତ ଦାଶ,ସନାତନ ସାର୍ ଙ୍କ ପୁଅ ତ !" ପଚାରିଲା ପ୍ରିୟା । "ହଁ" କହିଲା ଟୁଇଁକଲ । "ହଁ ଜାଣିଛି"...
ପ୍ରିୟାଠାରୁ ଏତକ ଶୁଣିବା କ୍ଷଣି ଏକ ନିଶ୍ୱାସରେ ଦୌଡିଗଲା ଟୁଇଁକଲ । ପ୍ରିୟା ଆଶ୍ଚର୍ଯ୍ୟ ! ଏଇ କଥା ପଚାରିବା ଲାଗି ଟୁଇଁକଲର ତାକୁ ଏକୁଟିଆ ଡାକିଆଣିବା କଣ ଦରକାର ଥିଲା !
ପରେ ପରେ ପ୍ରିୟ ଭାଇଙ୍କ ସହ ପ୍ରାୟ ସମୟ ଭେଟ ହୁଏ ପ୍ରିୟାର । ଟିଉସନ ଗଲାବେଳେ,ଫେରିବାବେଳେ ,ସ୍କୁଲ ଗଲାବେଳେ,ଫେରିବାବେଳେ, କେବେକେବେ ପାଖ ବଜାରରେ, ସରସ୍ୱତୀ ପୂଜା,ଗଣେଶ ପୂଜାରେ ସ୍କୁଲକୁ ଆସନ୍ତି ପ୍ରିୟ ଭାଇ ତାଙ୍କ ସାଙ୍ଗ ମାନଙ୍କ ସହ ପୁଷ୍ପାଞ୍ଜଳି ଦେବାଲାଗି , ନହେଲେ ପୁରୋହିତଙ୍କୁ ନେବାଲାଗି କଲୋନୀରେ ମେଢ଼ ପୂଜା ପାଇଁ । ଭେଟେ ବି ଭସାଣିରେ....ତାଙ୍କ ଘରବାଟ ଦେଇ ପ୍ରୋସେସନ କରି ନିଅନ୍ତି କଲୋନିର ୟୁଥ କ୍ଳବ ପିଲା । ଦେଖେ ପ୍ରିୟା, ଛାତ ଉପରୁ । ପ୍ରାୟ ସମସ୍ତେ ଡେଉଁଥା'ନ୍ତି ,ପ୍ରିୟ ଭାଇଙ୍କୁ ଛାଡି । ଆଖି ଦୁଇରୁ ଚାରି ହେଲେ ଲୁଚିଯାଏ ପ୍ରିୟା ଛାତ ଡେଇଁ ଲମ୍ବିଆସିଥିବା ଦେବଦାରୁ ଗଛ ପଛପଟେ । ମନେପଡିଯାଏ ତା'ର ସେଦିନର ଫୁଲଚୋରି ଘଟଣା । ଏକ ନିଶ୍ୱାସରେ ବେଡ଼ରୁମକୁ ଧାଏଁ ପ୍ରିୟା । ଦେଖା ବି ହୁଏ ଭୋଜିଭାତରେ । ସେବେ ପ୍ରିୟ ଭାଇ ଟିକେ ବେଶି ସ୍ମାର୍ଟ , ହ୍ୟାଣ୍ଡସମ ଲାଗନ୍ତି ପ୍ରିୟାକୁ । ତା' ଦେହରେ ଯାଏନି ଯାହା ପ୍ରିୟ ଭାଇଙ୍କ ସିଗାରେଟ୍ ଟାଣିବା । ଦେଖି ନେଇଥିଲା ସେ ଥରେ ପ୍ରିୟ ଭାଇଙ୍କୁ ସିଗାରେଟ୍ ଟାଣୁଥିବାର ,ଇଚ୍ଛା ହେଇଥିଲା ପାଖକୁ ଯାଇ ବଳକା ସିଗାରେଟ୍ ଖଣ୍ଡକ ଛଡେଇ ଆଣି ଫିଙ୍ଗି ଦେବାକୁ । ହେଲେ ସାହସ ଝୁଟେଇ ପାରିନଥିଲା ।
କଥାଟା କିନ୍ତୁ ତା' ମୁଣ୍ଡରୁ ଲିଭିନଥିଲା , ସେ ଜାଗା ଛାଡିବାର ଦଶ ବର୍ଷ ପରେ ବି । ଛୁଇଁ ମୁଇଁ ଲାଜକୁଳି ,ଡ଼ରକୁରି ପ୍ରିୟା ଏବେ ସ୍ମାର୍ଟ ସିଟିର ସ୍ମାର୍ଟ ଝିଅ । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ଭାବରେ କାର୍ଯ୍ୟରତ ।
ଖୋଜିଲା ଫେସବୁକରେ "ପ୍ରିୟବ୍ରତ ଦାଶ" । ମେଞ୍ଚେ ବାହାରିଲେ । ଅନେକ ଖୋଜିବା ପରେ ତା' ସାଙ୍ଗ ସୁଜିତର ମ୍ୟୁଚୁଆଲ ଫ୍ରେଣ୍ଡ ରେ ପାଇଲା ଜଣେ "ପ୍ରିୟବ୍ରତ ଦାଶ" । ପ୍ରୋଫାଇଲ ଅଣ୍ଡାଳିବା ପରେ ଜାଣିଲା ଇଏ ସେଇ ପ୍ରିୟବ୍ରତ ଦାଶ ଯାହାଙ୍କୁ ସେ ଖୋଜୁଥିଲା । ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇ ଦେଲା ସଙ୍ଗେ ସଙ୍ଗେ । କିଛି ଘଣ୍ଟା ପରେ ଆକ୍ସେପ୍ଟ ହେଲା ତା' ରିକ୍ୱେଷ୍ଟ । ପ୍ରିୟାର ଖୁସି କହିଲେ ନସରେ । ଯଦିଓ ଏତେ ଖୁସି ହେବାର କିଛି ବି କାରଣ ନଥିଲା । ତଥାପି ସେ ଖୁସିଥିଲା । ଅଫିସରୁ ଫେରି ଧୁଆଧୋଇ ହୋଇ ସଞ୍ଜ ଦେଲା । ତା' ପରେ ମୁଢି -ମିକ୍ସଚର ପାଟିରେ ପକଉ ପକଉ ଫେସବୁକ ଖୋଲି ଅନଲାଇନ ଆସି ଦେଖେ ତ ....ପ୍ରିୟଭାଇ ବି ଅନଲାଇନ ! ଯେହେତୁ ଡି. ପି ରେ ପ୍ରିୟା ର ନିଜ ଫଟୋ ନଥିଲା ତେଣୁ ଏତେ ବର୍ଷ ପରେ ପ୍ରିୟ ଭାଇଙ୍କର ତାକୁ ଚିହ୍ନିବା, ସେତେ ବେଶି ସମ୍ଭାବନା ନଥିଲା । ତେଣୁ ବିନା ହେଲୋ,ହାଏ,ଗୂଡ଼ ଇଭନିଙ୍ଗ ରେ ପ୍ରିୟା ମେସେଜ କଲା , " ସିଗାରେଟ ଇଜ୍ ଇଞ୍ଜୁରୀୟସ୍ ଟୁ ହେଲଥ" । ଆଉ ତା'ପରେ କିଛି ସଚେତନତା ମୂଳକ ତଥ୍ୟ । ସେପଟୁ କିନ୍ତୁ କିଛି ଉତ୍ତର ଆସିଲାନି । ଏମିତି ଚାଲିଲା ପାଖାପାଖି ମାସେ । ପ୍ରିୟ ମେସେଜ ଦେଖୁଥାଏ ସତ କିନ୍ତୁ କୋୖଣସି ଜବାବ ଦେଉନଥାଏ ।
ୟା'ରି ଭିତରେ ପଡିଲା ପ୍ରିୟର ଜନ୍ମଦିନ । ଫେସବୁକ ନଥିଲେ ଆଜିକାଲି କିଏ କାହିଁ କେମିତି ଏତେ ଜନ୍ମଦିନ ମନେ ରଖନ୍ତା ଯେ ! ସେ ଯା' ହେଉ ପ୍ରିୟା ଜାଣିଲା ଯେତେବେଳେ ଅଭିନନ୍ଦନ ତ ନିଶ୍ଚୟ ଜଣାଇବ । ଜଣାଇଲା ମଧ୍ୟ । ଆଉ ପ୍ରଥମଥର ସେପଟୁ ଉତ୍ତର ଆସିଲା, " ଧନ୍ୟବାଦ , କ୍ଷମା କରିବେ ! ମୁଁ ଆପଣଙ୍କୁ ଜାଣିପାରୁନି । ମାସେ ହେଲାଣି ଆପଣ ମୋତେ ମାଦକଦ୍ରବ୍ୟ ଠାରୁ ଦୂରେଇ ରହିବାଲାଗି ସଚେତନ ଭରା ମେସେଜ ପଠାଇ ଚାଲିଛନ୍ତି । ହେଲେ କାହିଁକି ! ସେଇଟା ବି ମୁଁ ଜାଣିପାରୁନି । ଆପଣ ମୋତେ ଜାଣନ୍ତି କି ?
- ହଁ
- କେମିତି ?
- ଏମିତି ହିଁ...
-ଆଚ୍ଛା ଠିକ୍ ଅଛି । ମୋତେ ଏସବୁ ମେସେଜ ପଠାଇବାର କାରଣ ?
- ବିରକ୍ତ ଲାଗୁଥିଲେ ବ୍ଳକ୍ କରିଦେଇପାରନ୍ତି ।
- ଆରେ, ବ୍ଳକ୍ କରିବା କଥା କେଉଁଠୁ ଆସିଲା ? ମୁଁ ପଚାରୁଚି ଏ ସବୁ ମୋତେ ପଠାଇବାର କାରଣ ?
- କାରଣ...? ସଚେତନତା ସୃଷ୍ଟି କରିବା ।
- ନିଜ ଟାଇମ୍ ଲାଇନରେ ପୋଷ୍ଟ କଲେ ତୁମ ବନ୍ଧୁ ତାଲିକାର ସମସ୍ତେ ସଚେତନ ହୁଅନ୍ତେ । ମୋତେ ମେସେଜ ପଠାଇବାର ମାନେ ?
-(ଚଞ୍ଚଳିଆ ଭାବରେ ଟାଇପ ହୋଇଗଲା ପ୍ରିୟାର) ମୁଁ ଦେଖିଚି ଆପଣଙ୍କୁ ସିଗାରେଟ ଟାଣିବାର ।
- ମୋତେ ! କେବେ? କଉଠି ? ତମେ ମୋତେ ଜାଣ ତେବେ ...!
-(ଆଉ କିଛି ଚାରା ନଥିଲା ପ୍ରିୟାର) ହଁ, ଜାଣେ ।
-ସଠିକ ପରିଚୟ କିମ୍ବା ଡି. ପି ରେ ନିଜ ଫଟୋ ଦେଲେ ,ମୁଁ ମଧ୍ୟ ଚିହ୍ନିବାକୁ ସକ୍ଷମ ହୁଅନ୍ତି ।
-ସରି !
- ok... As you wish . Bye ...
ପ୍ରିୟାର କିନ୍ତୁ ଏତେ ଶୀଘ୍ର କଥୋପକଥନ ଶେଷ କରିବାକୁ ମୋଟେ ଇଚ୍ଛା ନଥିଲା । ତେଣୁ ସେ ପୁଣି ମେସେଜ କଲା...
- ଦେଖନ୍ତୁ, ସିଗାରେଟ୍ ଦେହ ପାଇଁ ଭଲ ନୁହଁ ।
- ଦେଖ, ମୁଁ କେବଳ ସିଗାରେଟ ନୁହଁ ମଦ ବି ପିଏ ଆଉ ଗୁଟକା ବି ଖାଏ ।
-what !!!
- yes...
- କିନ୍ତୁ ଏସବୁ ତ ଦେହ ପାଇଁ ବହୁତ କ୍ଷତିକାରକ !
- ତମର କାହିଁ ଏତେ ଚିନ୍ତା ?
-..........(ପ୍ରିୟା ଚୁପ୍)
- ଦେଖ,ମୋ ଜନ୍ମଦିନରେ ସତରେ ଯଦି ମୋର ମଙ୍ଗଳ ଚାହୁଁଥାଅ ତେବେ ନିଜର ସଠିକ ପରିଚୟ ଦିଅ । ତା' ପରେ ହୁଏତ ମୁଁ ତମ କଥା ମାନି ପାରେ ।
ଏବେ ସ୍ମାର୍ଟ ସିଟିର ସ୍ମାର୍ଟ ଝିଅ...ପାଣି ପାଣି । ବର୍ଣ୍ଣନା କଲା ସେ ଅତୀତର ଫୁଲଚୋରି ଘଟଣା ... ଯେ ,ସେ କେମିତି ଧରା ପଡିଯାଇଥିଲା ତାଙ୍କ ନଜରରେ । ଆଉ କୈଫତ୍ ଦେଲା କି ସେ ଟିଣ ଉପରକୁ ଚଢିନଥିଲା । ଚଢିଥିଲା ସୌମ୍ୟା ।
-ଆଚ୍ଛା, ତମେ ତା' ହେଲେ ସେଇ ପ୍ରିୟା । ଯିଏ ପଂଚର ହେଇଯାଇଥିବା ସାଇକେଲକୁ ବି ଜୋର ଜବରଦସ୍ତ ଟାଣି ଚଲାଏ !
- ହା ହା
- ତମେ ସେଇଠି ଦେଖିବାକ୍ଷଣି କହିଥିଲେ ତ.... ମୁଁ ସଙ୍ଗେ ସଙ୍ଗେ ଛାଡି ଦେଇଥାନ୍ତି ସିଗାରେଟ । ଏମିତି ପରିଚୟ ଲୁଚେଇ ମାସେ ଯାଏଁ.... କଣ୍ ଦରକାର ଥିଲା ?
- ଆପଣଙ୍କୁ ଦେଖିଲେ ଡରଲାଗେ....କାଳେ ଆପଣ ସେଦିନର ଫୁଲଚୋରି ଘଟଣା ପାଇଁ ଗାଳିଦେବେ !
-ହା ହା
-ଟିଉସନ, ସ୍କୁଲ ଯିବା ଆସିବା ବେଳେ ସେ ପାନ ଦୋକାନ ପାଖରେ ଆପଣଙ୍କୁ ପ୍ରାୟ ସମୟ ଦେଖିଲେ ଲାଗେ...ଯେମିତି ଆପଣ....
- ଯେମିତି ମୁଁ....?
-ଗାଳିଦେବେ...
-ହା ହା
- ଜାଣିଛନ୍ତି, ସେ ପାନ ଦୋକାନ ପାଖରେ ସଦାବେଳେ ସୈନ୍ୟବାହିନୀ ଧରି ଛିଡ଼ା ହୁଅନ୍ତି ବୋଲି ଆପଣଙ୍କୁ ସମସ୍ତେ ଖରାପ ପିଲା କୁହନ୍ତି ।
- ହା ହା, ଠିକ ତ !
- କେମିତି ଯେ ? ଆପଣ ତ ବହୁତ ଭଲ ପାଠ ପଢ଼ନ୍ତି । ସବୁ ସାର୍ ଦିଦିମାନେ ବି ଆପଣଙ୍କୁ ଖୁବ ଭଲ ପାଆନ୍ତି । ଆପଣଙ୍କ ଉଦାହରଣ ଦିଅନ୍ତି !
- ମୁଁ ତମକୁ ଦେଖିବାକୁ ଯାଏ ।
- ମୋତେ !
- ହଁ...
- ମୁଁ କଣ ଚିଡିଆଖାନାରୁ ଆସିଲା ପରି ଦିଶେ କି ?
- ହା ହା, କେବଳ ଫୁଲଚୋରି କରିବାକୁ ଆସିନଥିଲ ନା...
- ମାନେ ? ସେ ଫୁଲ ଜରି ତ ସେଇଠି ହିଁ ମୋ ହାତରୁ ଖସିପିଡ଼ିଥିଲା । ମୁଁ ନେଇନି ବି ଘରକୁ । ଆପଣ ତ ଦେଖିଥିଲେ ନା....
- ବୋକିଝିଅ
- ହେଁ !
- ବ୍ୟାଙ୍କରେ କିଏ ଚାକିରୀ ଦେଲା ତମକୁ ?
- ମାନେ ?
- କିଛିନାହିଁ , ବାଏ ... (ଅଫଲାଇନ ହୋଇଗଲା ପ୍ରିୟ)
ଭଲସେ ମନେ ପକେଇବାକୁ ଚେଷ୍ଟା କରୁଥାଏ ପ୍ରିୟା, ସେଦିନ ତ.... ତା' ନିଜ ବହି ବ୍ୟାଗ ଛଡା ସେଠୁ କିଛି ବି ଆଣିନଥିଲା ସେ.....
No comments:
Post a Comment