New

Post Top Ad

Shubhapallaba Hindi Portal

Sunday, July 21, 2019

ଫ୍ୟାମିଲି ପ୍ଲାନିଂ

Persons, Family, Parents, Kid, Child, Small, Little

(୧)
-ୟେ.....ହାପି ମ୍ୟାରେଜ୍ ଆନିଭର୍ସରି ଡ଼ିୟର ମାମା-ପାପା ....ତାଳି ମାରି ମାମା-ପାପା ଦୁହେଁ ମିଶି କାଟିଥିବା କେକ୍ ରୁ ଖଣ୍ଡେ ନେଇ ପୁତୁଲର କୁନି କୁନି ହାତ ବଢ଼ିଗଲା ତା' ପାପାଙ୍କ ପାଟି ଆଡ଼କୁ !
- ଆଖି ପିଛୁଳାକେ ମୁହଁ ସାମ୍ନାରୁ କେକ୍ ପିସ୍ ଟା ଚାଲିଗଲା !
-ଆଁ ଟା ହାଁ ହେଇ ରହିଗଲା ସମୀର୍ ର ! 
- ଆଖି ଛଳଛଳ କରି ବାଲକୋନିକୁ ଏକ ରକମ ଦୌଡିବା ପରି ଚାଲିଗଲା ସ୍ମିତା ।
-ଲଥ କି ଚକାପାରି ବସିପଡ଼ିଲା ପୁତୁଲ, ସୋଫା ଉପରେ !
ତୋଫା ଜହ୍ନ ଆଲୁଅରେ ସରପ୍ରାଇଜ ପାର୍ଟି ସେଲିବ୍ରେସନର ଦିଗ ବଦଳିଗଲା ।

(୨)

ସମୀରର ପାଦ ଶବ୍ଦରେ ପ୍ରକୃତିସ୍ଥ ହେଲା ସ୍ମିତା । ଅଣ୍ଟା ସିଧା କରି ଛିଡା ହେଲା । ମୁହଁ, ବାଲକୋନି ବାହାରକୁ ଜହ୍ନ ଆଡ଼କୁ, ପୂର୍ବବତ୍ !

- ତମର ମନେଅଛି ସମୀର ! ସୋସିଆଲ ମିଡିଆରେ କେମିତି କେମିତି ହେଇ ଦୁଇ ବର୍ଷର ବନ୍ଧୁତା ଥାଇ ମଧ୍ୟ ଆମେ ପରସ୍ପରକୁ ଜାଣି ବି ନଥିଲେ । ଏମିତି କି ହେଲୋ , ହାଏ ବି ନାହିଁ ।!

-ପରେ ପରେ ତମେ ସେୟାର କରିଥିବା ଗୋଟେ ଭିଡିଓ ଉପରେ ମୋର କମେଣ୍ଟ,ଏବଂ ସାମାନ୍ୟ ଝଗଡା ପରେ ଆରମ୍ଭ ହୋଇଥିଲା ପରିଚୟ, ବନ୍ଧୁତା ,ଫୋନ ନମ୍ବର ଅଦଳ ବଦଳ....।

-କଣ ଥିଲା ତ ସେ ଭିଡିଓ ଟା....ହଁ , ଡାଏଟ୍ କୁ ନେଇ ସ୍ତ୍ରୀର ଏକ୍ସେସ ସଚେତନତାରେ ସ୍ୱାମୀ କେମିତି ମାଡି ମକଚି ହନ୍ତସନ୍ତ ହେଇଯାଉଥିଲା । ନା ?
- ସମୀର ଟିକେ ହସିଦେଲା ...
- " ହା ହା ଭିଡିଓଟା ପୁରାପୁରି ତମକୁ ସୁଟ୍ କରୁଛି " , ତମକୁ କେବେଳ ଫଟୋରେ ଦେଖି,ତମ ବିଷୟରେ କିଛି ନଜାଣି କମେଣ୍ଟ ଦେଇଥିଲି ଏଇମିତି ....।

ତା'ପରେ....ବାପ୍ ରେ ବାପ୍ ! ସାର୍ ଙ୍କର କି ରାଗ ! ସଙ୍ଗେ ସଙ୍ଗେ ଏକ ନିଶ୍ୱାସରେ ଟାଇପ କରି ପଠେଇଦେଲ ମେସେଞ୍ଜରରେ , " ଏକ୍ସକ୍ୟୁଜ ମି ମାଡ଼ମ ! ଡ଼ାଇଟିଂ ତମକୁ ଦରକାର ! ଯେତେବେଳେ ଦେଖ ଖାଇବା ଜିନିଷ ପୋଷ୍ଟ ହେଇଥିବ ! କେବେ ଭାବିଚ ! ହଷ୍ଟେଲରେ କିମ୍ବା ପିଜିରେ ରହୁଥିବା ପିଲାଙ୍କ ଅବସ୍ଥା ! ସେ ପୁଣି ବାଙ୍ଗାଲୋର ପରି ଜାଗାରେ .... ଓଡ଼ିଆ ପିଲା ତିଷ୍ଟିବା କେତେ କଷ୍ଟ.....ଭାତ ବାଁ ରୁ ଡାହାଣ ଘେରି ଥିବ ଆଇଟମ ଆମର ଓଡ଼ିଆ ଥାଳି ନହେଲେ ପଖାଳ କଂସା.... ନାନା ରକମର....ସେଥିରେ ପୁଣି ମନ ମାନିବନି,ଲୁଣ ପାଣି ଚକଟା ଚକଟି ଟେ ମଷ୍ଟ । ଏଠି...ସବୁଥିରେ ଖାଲି ଡ଼ଙ୍କସର ପାଣି ଆଉ ପାଣି ....କାଁ ଭାଁ କଉଠି ଭାଗ୍ୟରେ ଥିଲେ ଭେଣ୍ଡି ଇଞ୍ଚେ କି ଟମାଟୋ ଚଉଠେ ଭାସୁଥାଏ । ସେ ସାମ୍ବର ଚଟଣି ଖାଇ ଖାଇ ଭାତ ବି ଆଜିକାଲି ଆମ୍ବିଳା ଲାଗିଲାଣି । ସେଥିରେ ପୁଣି ବ୍ରାହ୍ମଣ ପିଲା....ଆଖିରୁ ପାଣି ବାହାରିଯାଏ । ତମର କଣ ଅଛି ? ମାଆ ରାନ୍ଧିବାଢି ଶହେ ଡାକ ଦେଉଥିବେ ଆଉ ତମେ...ଫୁଲେଇ ହେଇ ହଜାର ନଖରା ଦେଖଉଥିବ ନଖାଇବା ପାଇଁ ! ଖାଅ ନଖାଅ ଯାହାକର ...ସେତିକିରେ ଚୁପ ରହିଯା'ନ୍ତ ହେଲେ .....ନା.... ଫଟୋ ଉଠେଇ ନାନା କବିତା କ୍ୟାପସନ ଦେଇ ଆମକୁ ଜଳାଅ... ହୁହ୍ ! ନିଜର ତ କେବେ ରୋଷେଇ ଘରେ ପାଦ ବି ପଡିନଥିବ ...! "

- ଓ ହେଲୋ ସାର୍ ! ସେ ସବୁ ରୋଷେଇ ମୁଁ ନିଜେ ହିଁ କରେ । ଆଉ ହଁ ପୁଅମାନଙ୍କୁ କେବଳ ଘରଛାଡି ଦୂରରେ ରହିବାକୁ ପଡେନି କ୍ୟାରିୟର ପାଇଁ ....ଝିଅମାନଙ୍କୁ ମଧ୍ୟ ରହିବାକୁ ପଡେ । ପୁଅମାନେ ଅଳସୁଆ...ସେମାନେ ଭାବନ୍ତି ରୋଷେଇ କରିବା କେବଳ ଝିଅମାନଙ୍କ କାମ....ଏପରି ମାନସିକତାରେ ପେଟ ତ କୁଁ କାଁ ହେବ ହିଁ ନାଁ । ମୁଁ ବି ତ ବ୍ରାହ୍ମଣଘର ଝିଅ । ଚଉକସିଆ ଖାନା ପିନା ଆମର ବି । ସେଇଥିପାଇଁ ତ ୟୁ ଟ୍ୟୁବ ଦେଖି ନୂଆ ନୂଆ ଡ଼ିସ୍ ଟ୍ରାଏ କରେ.....ଖାଇବା ପାଇଁ ଅନ୍ୟ ହାତକୁ ଅନେଇ ବସିଲେ ଆଖିରୁ ପାଣି ବାହାରିବା ସ୍ବଭାବିକ !

- ଓଃ ବ୍ରାହ୍ମଣ ତାହେଲେ....
- ତ ...?
- ନାଇଁ କିଛିନାହିଁ ....ଏମିତି.....

(୩)

-ବାସ୍ ....ତାପରେ...ଯାହା ହେବାର ଥିଲା...
ଜୀବନରେ ପ୍ରଥମ ଥର ପାଦ ଖସେଇ ଖୁସିଥିଲି....କାହିଁକି ଜାଣ ? 
-ଯାହା ହଉ , ଲୋକଟା ନିଜେ ନହ ନହକା ହେଲେ ବି ମୋ ହେଲଥକୁ ନେଇ କେବେ ଅସନ୍ତୋଷ ପ୍ରକାଶ କରେନା ! ମୋ ପରି ଖାଇବାରେ ନୋ କଂପ୍ରୋମାଇଜ୍ ! ଆମିଷ ,ନିରାମିଷ, ବିନା ପିଆଜ ରସୁଣ ସବୁ ଚଳେ....କଉଥିରେ ବି ନାକ ଟେକା ନାହିଁ ।

-ତମର ମନେ ଅଛି ସମୀର....ତମେ କହୁଥିଲ, " ଯାହା ହଉ ଆଜିକା ଡେଟ୍ ରେ ପାଠପଢ଼ା ଚାକିରୀ ବାଦ୍ ରୋଷେଇବାସରେ ରୁଚି ରଖୁଥିବା ଝିଅଟେ ମିଳିଯାଇଛି ମାନେ....ମୁଁ ବହୁତ ଲକି....ଥ୍ୟାଙ୍କ ଗଡ ! ଆଟ୍ ଲିଷ୍ଟ ,ଆକାଶ ପରି ବ୍ରେଡ଼ ଜାମ୍ ଖାଇ ଅଫିସ ଯିବାକୁ ପଡିବନି...କି ସୁବ୍ରତ ପରି ରାତିରେ କର୍ଣ୍ଣଫ୍ଲେକ୍ସ ଖାଇ ଶୋଇବାକୁ ତ ବିଲକୁଲ ବି ପଡିବନି ।
ଦେଖିବ ରୁହ ସବୁଦିନ ନୂଆ ନୂଆ ଆଇଟମ ବରାଦ କରିବି .... କରି କରି ଥକିଯିବ । କିନ୍ତୁ ଶୁଣ ! ଥକି ଗଲେ ମୋତେ ଛାଡ଼ି ବାପ ଘରକୁ ଚାଲିଯିବନି ଟି ! ଖାଲି ଆଦେଶ ଦେବ ମାଡ଼ମ୍ ! ବନ୍ଦା ହାଜିର ହେଇଯିବ ତମକୁ ସବୁକାମରେ ସାହାଯ୍ୟ କରିବା ପାଇଁ ...... ଦିନେ ଅଧେ ରେସ୍ତୋରାଁ କି ମନ୍ଦିରରେ ଖାଇନେବା .....ନା କଣ ?"

(୪)

ଭାଗ୍ୟ ଉପରେ ଫିଇଁ କିନା ହସିଦେଇ ବୁଲି ପଡିଲା ସ୍ମିତା ସମୀର ଆଡ଼କୁ । ନଜର ଫେରେଇ ନେଲା ସମୀର ସ୍ମିତାଠାରୁ ଜହ୍ନ ଆଡ଼କୁ ।

- ମୋତେ ଯିବାକୁ ମନା କରୁଥିଲ.... ନିଜେ କୁଆଡେ ବାହାରିଲ ସମୀର ?
(ପ୍ରଶ୍ନ ଶୁଣି ସମୀର ମୁହଁ ବୁଲେଇଲା ସତ, ହେଲେ ସ୍ମିତା ଆଖିରେ ଆଖି ମିଶେଇ ପାରିଲା ନାହିଁ ।)

- ଆମ ଘରଲୋକ ବହୁତ ବ୍ୟସ୍ତ ବିଚଳିତ ହେଉଥାନ୍ତି ସେତେବେଳେ , ଆମ ପ୍ରେମ କି ବିବାହକୁ ନେଇ କଦାପି ନୁହେଁ, ଯେହେତୁ ଜାତି ସମାନ ଆଉ ମୋ ପସନ୍ଦ ଉପରେ ସେମାନଙ୍କର ଭରସା ଥିଲା ।
କିନ୍ତୁ ସେ ଭରସା ଦିନକୁ ଦିନ ସନ୍ଦେହରେ ପରିଣତ ହେବାକୁ ଯାଉଥିଲା ....ତମର ବିବାହ ସମୟ ଗଡେଇବା ନେଇ !
- ଶୁଭ ଲଗ୍ନ ଗଡି ଚାଲିଥାଏ , ମୁଣ୍ଡ ଉପରେ ବାପାଙ୍କ ରିଟାୟରମେଣ୍ଟ.... ନିଜ ଚାକିରି କାଳ ଭିତରେ ହିଁ ଝିଅ ବାହାଘରଟା ତୁଟେଇବାକୁ ଚାହୁଁଥା'ନ୍ତି , ବୋଉର ବି ଦେହ ପ୍ରାୟ ସମୟରେ ଭଲ ରହୁନଥାଏ,ସେପଟେ ଭାଇ ନୂଆ ଘରକାମ ଆରମ୍ଭ କରିବାକୁ ଜିଦ୍ ଧରିଥାଏ । କଥା କଥାରେ ଭାଉଜଙ୍କ ପିନ୍ ।

ଏସବୁ ଭିତରେ ବି ମୋ ଭଲପାଇବା ପ୍ରତି କାଣିଚିଏ ବି ବିଶ୍ୱାସ ହରେଇ ନଥିଲି । ବୁଝିଥିଲି ତୁମକୁ,ବୁଝେଇଥିଲି ସେମାନଙ୍କୁ ।

-ମୋ ସମୀର ସେମିତିକା ପିଲା ନୁହଁ । ବାପା,ବୋଉ,ଭାଇ,ଭାଉଜ ତମେମାନେ ମୋ ଭବିଷ୍ୟତ ପାଇଁ ଯେତିକି ଚିନ୍ତିତ ସମାନ ସମୀର ବି । ଦୁନିଆର ସବୁ ଖୁସି ମୋ ପାଦ ତଳେ ଅଜାଡି ଦେବାଲାଗି ଦିନ ରାତି ଏକ କରି ଖଟୁଛନ୍ତି । ଗୋଟେ ସୁନେଲି ଭବିଷ୍ୟତ ପାଇଁ । ତାଙ୍କର ପ୍ରତିଟି ସ୍ୱପ୍ନରେ ମୋତେ ସାମିଲ କରିଛନ୍ତି ।

(୫)

-ବାବା,ମାଆ, ସେ ,ମୁଁ... ଆଉ ପାହାଡ଼ ତଳେ ଗୋଟେ ଛୋଟ ସୁନ୍ଦର ସାଜସଜ୍ଜା ଘର,ରୋଷେଇ ଘର, ଠାକୁରଘର....ପୁନିଅଁ ପର୍ବ ରେ ଭାଇ ଭଉଣୀ ବନ୍ଧୁ ବାନ୍ଧବ,ଖିଆପିଆ ମଜା ମଜଲିସରେ ଘର ଉଠୁଥିବ ପଡୁଥିବ । ସାମ୍ନାରେ ଗେଣ୍ଡୁ,ଗୋଲାପ,ଡାଳିଆ,ସୂର୍ଯ୍ୟମୁଖୀ ଧାଡି ଧାଡି,ଶାଗ ପଟାଳି, କଖାରୁ ମନ୍ଦା, ଲଙ୍କା ମଝିରେ ଛୋଟ ଘାସ ପଡ଼ିଆଟେ....ତାକୁ ଦଳି ମକଚି ଦୌଡ଼ି ଦୌଡ଼ି ଖେଳୁଥିବ କୁନି କୁନି ଲକ୍ଷ୍ମୀ ପାଦ । 
- ଝିଅ କାହିଁକି ? 
- ପୁଅ ଗୁଡା ଭାରି ଦୁଷ୍ଟ । ସମ୍ଭାଳି ବା କଷ୍ଟ ।

ମନଜାଣି ପୁତୁଲକୁ ଦେଇଛନ୍ତି ଭଗବାନ । ଦେଇଛନ୍ତି ସବୁ ସୁବିଧା ଅୟସ ଆରାମ ଭର୍ତ୍ତି ଜୀବନ । 
ଛଡେଇ ନେଇଛନ୍ତି ଖୁସି । ବେକାର ହେଇଯାଇଚି ଓଡ଼ିଆ,ବଙ୍ଗାଳି,ଗୁଜୁରାଟି ....ଡ଼ିସ୍ ସବୁ ଶିଖିବାରେ ସ୍ମିତାର କଟିଥିବା ଅପେକ୍ଷାତକ । ମଉଜରୁ ବାଦ୍ ପଡିଯାଇଛି ମିଠା ପିଠା । ଯେଉଁ ଆକର୍ଷଣ ,ପରେ ପ୍ରେମର ରୂପ ନେଇଥିଲା ।

ବଳି ଯାଇଛି.....ନିଜ ସପ୍ତମ ବିବାହ ବାର୍ଷିକରେ ହଳେ ହାରିବାକୁ ବସିଥିବା କିଡନୀ ସହ ସମୀର । 
■■■
Twitterରେ Kumar Manasଙ୍କର ମୋ ଲେଖା ଉପରେ ରିଭ୍ୟୁ ପାଇବା ପରେ ଭାବିଲି ଗପଟି ଲେଖିବି ନା ନାହିଁ । ଏପଟେ ନଗପି ଚୁପ୍ ରହିବା ମାନେ ମୋ ପାଇଁ ବିନା ଆଇଁଶରେ ରବିବାର ପାଳିବା । 🙈😜

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba