କଣ ହେଲା...? ମୁହଁଟା ଏମିତି ଶୁଖିଯାଇଛି ଯେ..! ଛୁଟି ସରିଗଲା ବୋଲି ? ଫେର୍ ସେଇ ସଂସାର ଯାକ ଟେନସନ। ସତରେ ବି...ଏତେ ଜଞ୍ଜାଳ କେମିତି ସମ୍ଭାଳୁଛ ଯେ ? ମୁଁ ତ ଆଦୌ ପାରେନା । ଏତେ ହୋ ହାଲ୍ଲା ଭିତରେ କେମିତି ରହୁଚ କେଜାଣି ! ତମକୁ ହିଁ ଜଣା ।
ମାସ ଗୋଟାଏ ବିତିଗଲେ...ମୋତେ ରାତି ଅଧିଆ ଜ୍ଵର ଆସେ, ଭଲଲାଗେନା ଆଉ ନିଜ ହାତରନ୍ଧା....ଏମିତିକି ରୋଷେଇ କରିବାକୁ ବି ଇଚ୍ଛା ହୁଏନା,ଚା' ବିସ୍କୁଟ ରେ ଦିନ ଆରମ୍ଭ ହେଇ କ୍ଷୀର ବିସ୍କୁଟ ରେ ରାତି କଟିଯାଏ । ବୋଉ ମୁହଁ ମନେପଡେ,ତା' ରସୁଣ ଫୁଟା ସୋରିଷ ତେଲରେ ମୋଡା ଘଷା, ଅଦା ପକା ଚା' ମନେପଡେ....ମନେପଡେ ଜେଜେମାଆଙ୍କର ଅଧା ରହିଯାଇଥିବା ଗପ,ଗପ କହୁ କହୁ ମୋ ମୁଣ୍ଡରେ ହାତ ବୁଲେଇଆଣି ଓପାଡି ପକାନ୍ତି ଗୋଟେ ଯୋଡ଼େ ପାଚିଲା ଚୁଟି....ଜମାରୁ ବଢିବାକୁ ଦିଅନ୍ତିନି ସେମାନଙ୍କୁ ।
ଆଉ ସବୁଠୁ ଇଣ୍ଟରେଶଟିଙ୍ଗ ମୋ ନନାଙ୍କର ଓଭର୍ ଏକ୍ସାଇଟମେଣ୍ଟ ....ରଖେଇ ଥୋଇ ଦିଅନ୍ତିନି ବୋଉକୁ ....ପୁରା ବଜାରଟାକୁ ଘରକୁ ଉଠେଇ ଆଣନ୍ତି...ତାପରେ ... ବୋଉ ଉପରେ ବରାଦ ପରେ ବରାଦ ।
"ହଇଓ ! ଝିଅଟା ଆସିଛି ଚିତ୍ତଉ ଦି'ଟା କରୁନ,ରାତିରେ କ୍ଷୀରି ଟା ବସେଇଦିଅ ବୁଝିଲ, ସେ ସକାଳେ ଥଣ୍ଡା କ୍ଷୀରି ଖାଇବାକୁ ଭଲପାଏ । ତଡକା ପ୍ୟାକେଟଟେ ନେଇ ଆସିଛି ତାକୁ ପୁଣି କେତେବେଳେ କରିବ ଶୀଘ୍ର ଶୀଘ୍ର ଟିକେ ହାତଟା ଚଳଉନ?........."
"ଓଃ ହୋ...! ଏ ଲୋକ କଣ ଏମିତି ହଉଛନ୍ତି, ଛୁଆ ଘରକୁ ଆସିଛନ୍ତି ମୁଁ ମୋର କଉଟା କେତେବେଳେ କରିବା କଥା କରିବିନି ! ଦେଖୁଛୁ ଝିଅ ଦେଖ୍,ତୋ ନନାଙ୍କୁ ଦେଖ୍ । ନିଜ ପୁଅ ଝିଅ ଆସିଲେ ଏ ଲୋକ ଏମିତି ହଗିମୁତି ପକଉଛନ୍ତି ଜ୍ୱାଇଁ ଆସିଲେ କଣ ନହେବେ ! ତାଳଚେର ହାଟତୋଟା ଟାକୁ ଘରକୁ ବୋହି ଆଣିବେ ବୋଧେ ...ସେଇଥିପାଇଁ ପ୍ରଭୁ ଘୋଡା ମୁଣ୍ଡରେ ଶିଙ୍ଗ ଦେଇନାହାନ୍ତି ।"
ଏମିତି ଆରମ୍ଭ ହେଇଯାଏ ସେମାନଙ୍କ କିଚିରିମିଚିରି ଯେ ସରିବାର ନାଁ ଧରେନି ।
ଆହୁରି ବି ମନେପଡେ ମୋ ଭାଇ ହାତରନ୍ଧା ....ଆଃ...ଭାବିଲେ ମୋ ପାଟିରୁ ଲାଳ ଗଡ଼ିଆସେ ।
ତମେ ଏବେ କହିବ, ତମର ପା' ଫୁଉନ୍ ଅଛି !
ଓଃ ହୋ ! ସେଥିରେ କଣ ସବୁ ଜିନିଷ ଯାଇ ଆସିପାରୁଛି ! ନା....ସେ ମେସେଜ୍ ରେ ଜାକିଜୁକି ଅଳପ ଶବ୍ଦରେ ଘର ଲୋକଙ୍କ ସହ ବିଲକୁଲ କଥା ହେଇହବନି.....ଏତେ ଗୁଡାଏ କଥା କେମିତି ଟାଇପ କରିବି କହୁନ...ସେ ଷ୍ଟିକର ଖାଲି ନାଁ କୁ ସେଥିରେ କଣ ଭାବ ଯା' ଆସ କରିପାରେ ?
ଅଡିଓ କଲିଂ ରେ ଖାଲି କଥା ହେବ ସିନା ମୁହଁ ଦୁଶିବନି । ଟିକେ ବେସି ସମୟ କଥା ହେଲେ ମୋ ବୋଉ ପୁଣି ଗଳା ଝାଡ଼ି ଦେଇ କହିବ , "ଝିଅ ଲୋ ! ମାଆଙ୍କ ପାଇଁ ଜଳଖିଆ ବସେଇବି,ନନାଙ୍କ ପାଇଁ ପାଣି ଗରମ କରିବି...." ମୋଦିଠୁ ଶହେ ଗୁଣା ବିଜି ମୋ ବୋଉ ।
ଆଉ ରହିଲା ଭିଡ଼ିଓ କଲିଂ....ସେଥିରେ ମୁଁ କଥା କହିବି ନା ମୋ ବୋଉ ମୁହଁ ଟାକୁ ଦେଖିବି କନଫ୍ୟୁଜ ହେଇଯାଏ । ପୁଣି ବେଳେବେଳେ ମୁହଁଟା ଇମିତି ବିକୃତ ଅବସ୍ଥାରେ ରହିଯାଇ ତା'ରି ଉପରେ ଚକଟା ଘୁରୁଥାଏ ଯେ ଘୁରୁଥାଏ । ହେସ୍...ଭାରି ବିରକ୍ତ ଲାଗେ !
କାହାକୁ କିଛି ନଜଣେଇ ରାତି ରାତି ବସ୍ ରେ ପଳେଇଯାଏ.....ସକାଳୁ ପହଞ୍ଚି ସରପ୍ରାଇଜ୍ ଦେଇଦିଏ ସମସ୍ତଙ୍କୁ । ଶନିବାର,ରବିବାର ,ଛୁଟିଦିନ ଦେଖି । ଯିବା ଆସିବାରେ ବାର ବାର ଘଣ୍ଟା ଚବିଶ ଘଣ୍ଟା ପଳାଏ ଆଉ ବାକି ଯେତିକି ସମୟ ରୁହେ ମାସକ ଯାକର କଥା ପେଟରୁ ନବାହାର କରିବାଯାଏଁ ପେଟରୁ ଭାତ ହଜମ ହୁଏନି କି ଆଖିକୁ ବି ନିଦ ଆସେନି ।
ତମେ କିନ୍ତୁ ମୋଟେ ବ୍ୟସ୍ତ ହେବନି । ଦିହ ପା' କୁ ଅନଉଥିବ । ବେଶି ଟେନସନ ଲାଗିଲେ ପାହାଡ଼ ଡେଇଁ ପଳେଇ ଆସିବ ସାବର ଶ୍ରୀକ୍ଷେତ୍ର ! ଜାଣିଛ ! ଏଠି ବି ତମର ବହୁତ ଭକ୍ତ ଅଛନ୍ତି ଯେ ! ତମର କିଛି ବି ଅସୁବିଧା ହେବାକୁ ଦେବେନି । ଆସିଲେ ଜଣେଇବ ମୋତେ । ସେଉଠୁ ମୋଟେ କୋଡ଼ିଏ କିଲୋମିଟର ମୋ ଭଡା ଘର । ଚୁଟକି ଯାଇ ପହଁଚିଯିବି ତମ ପାଖେ । ଗପିବା ....କଉଠି କହିଲ? ଠିକ୍ ମନ୍ଦିର ତଳକୁ ନାନା ବେଶରେ ତମକୁ ସଜେଇ ମ୍ୟୁଜିୟମଟେ ତିଆରି ହେଇଚି । ସେଇଠି ବସି ଗପିବା ।
ବୁଲିବା.... କେତେ ବଡ଼ ବଡ଼ ପାହାଡ଼,ପର୍ବତ,ଝରଣା...କାଚ କେନ୍ଦୁ ପରି ସଫା ସଫା ପାଣି । ଦେଖିବ , ଏଠି ବିଲକୁଲ ବୋର୍ ହେବନି ତମେ । ୧୦୦% ଗ୍ୟାରେଣ୍ଟି ।
ଦେଖ ! ସବୁବେଳେ ସେଇ ଷାଠିଏ ପଉଟି ବି ଦିହ ପାଇଁ ଭଲ ନୁହଁ ବୁଝିଲ ! ଏପଟକୁ ଆସିଲେ ଚାଖିବ....କେନ୍ଦୁକୋଳି,ଚିଣ୍ଡା କୋଳି,କରିଡ଼ ରାଇ....ଆହୁରି କେତେ କଣ ! ଥରେ ଆସି ଦେଖ ! ତାପରେ କହିବ ଯେ,ମୁଁ ସତ କହୁଥିଲି ନା ମିଛ ! କଣ କହୁଚ ? ଆସିବ ଟି ?
ଆଉ ହଁ ଆସିଲେ ଏକା ଆସିବନି ଟି....ବଳିଆ ଭାଇ ଆଉ ଶୁଭା ନାନୀଙ୍କ ସହ ଲକ୍ଷ୍ମୀଙ୍କୁ ବି ସାଥିରେ ନେଇ ଆସିବ....ତାଙ୍କୁ ବି ଗୋଟେ ହନିମୁନ ରେ ଆସିଲା ପରି ଫିଲ୍ ହେବ ଯେ । ସେ ବି ଖୁସ୍ ତମେ ବି ଖୁସ୍ । ବଢିଆ ପ୍ଲାନ ନା? ଥରେ ଆପଣେଇ ଦେଖ ତାହେଲେ.... । ନା କଣ କହୁଚ ?
ଫଟୋ: ଶାନ୍ତି ଭୂଷଣ ଆଚାର୍ଯ୍ୟ
No comments:
Post a Comment